ବେଙ୍ଗାଲୁରୁ: କର୍ଣ୍ଣାଟକା ନାଟକର ଶେଷ ଦୃଶ୍ୟରେ ଆଜି ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଏସ୍ ୟେଦ୍ଦୁରପ୍ପା। ତାଙ୍କୁ ରାଜ୍ୟପାଳ ବାଜୁଭାଇ ବାଲା ପଦବୀ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୟେଦ୍ଦୁରପ୍ପାଙ୍କ ଶପଥ ପାଠ ଆୟୋଜିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ବୟକଟ୍ କରିଥିବାବେଳେ ରୋଶନ୍ ବେଗ୍ଙ୍କ ସମେତ କିଛି ବିଦ୍ରୋହୀ କଂଗ୍ରେସ ବିଧାୟକ ଏଥିରେ ଉପସ୍ଥିତ ରହିଥିଲେ।
ଏହାପୂର୍ବରୁ ୟେଦ୍ଦୁରପ୍ପା ରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖି ସରକାର ଗଠନ କରିବାକୁ ବିଜେପି ପ୍ରସ୍ତୁତ ବୋଲି ଦାବି ଜଣାଇଥିଲେ। ରାଜ୍ୟପାଳ ସମ୍ମତି ପ୍ରକାଶ କରିବା ପରେ ୟେଦ୍ଦୁରପ୍ପା ଆଜି ସନ୍ଧ୍ୟା ୬-୬.୧୫ ସମୟରେ ଶପଥ ନେବେ ବୋଲି ସମୟ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ଏହା ୬.୩୦କୁ ଘୁଞ୍ଚିଯାଇଥିଲା।
ଚଳିତ ବିଧାନସଭାରେ ପୂର୍ବରୁ ମଧ୍ୟ ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ମାତ୍ର ଅଢ଼େଇ ଦିନ ପରେ ଆସ୍ଥା ଭୋଟ୍ ପୂର୍ବରୁ ହିଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ତେବେ ଚଳିତ ଥର ସୋମବାର ୟେଦ୍ଦୁରପ୍ପାଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବାକୁ ହେବ। ତେବେ ବାଚସ୍ପତି ରମେଶ କୁମାର ସମସ୍ତ ବିଦ୍ରୋହୀ ବିଧାୟକଙ୍କ ବାବଦରେ ନିଷ୍ପତ୍ତି ନେଇନଥିବାରୁ ନଜର ତାଙ୍କ ଉପରେ ରହିଛି। ତେବେ ବିଦ୍ରୋହୀ ବିଧାୟକଙ୍କ କାରଣରୁ ଏଥରର ଫ୍ଲୋର ଟେଷ୍ଟ ୟେଦ୍ଦୁରପ୍ପାଙ୍କ ବିଜେପି ସରକାର ସମର୍ଥନରେ ଯିବା ପ୍ରାୟ ସ୍ପଷ୍ଟ ହୋଇଯାଇଛି।