ଚାକିରି ହରାଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ଦେବ ପଇସା!

ନୂଆଦିଲ୍ଲୀ: କରୋନା ପାଇଁ ଦେଶ ଲକଡାଉନ୍ ଶଟଡାଉନ୍ ରହିଥିଲା। ଏହି ସମୟରେ ବହୁ ଅନୁଷ୍ଠାନ ଆର୍ଥିକ ମାନ୍ଦାବସ୍ଥା ଦର୍ଶାଇ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଯାହା ଫଳରେ ଚାକିରି ହରାଇଥିବା ଯୁବକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏବେ ସେହି ଚାକିରି ହରାଇଥିବା ଯୁବକଙ୍କୁ ନିଯୁକ୍ତି ଦେଲେ ସରକାର ଯୋଗାଇବେ ଆର୍ଥିକ ସହାୟତା। କେନ୍ଦ୍ର ସରକାର ଆତ୍ମନିର୍ଭର ରୋଜଗାର ଯୋଜନାରେ ଏହି ସହାୟତା ରାଶି ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ୨୦୨୦ ମାର୍ଚ୍ଚ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ […]

worker

Subhransu Sekhar
  • Published: Wednesday, 09 December 2020
  • , Updated: 09 December 2020, 10:15 PM IST

ନୂଆଦିଲ୍ଲୀ: କରୋନା ପାଇଁ ଦେଶ ଲକଡାଉନ୍ ଶଟଡାଉନ୍ ରହିଥିଲା। ଏହି ସମୟରେ ବହୁ ଅନୁଷ୍ଠାନ ଆର୍ଥିକ ମାନ୍ଦାବସ୍ଥା ଦର୍ଶାଇ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଯାହା ଫଳରେ ଚାକିରି ହରାଇଥିବା ଯୁବକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏବେ ସେହି ଚାକିରି ହରାଇଥିବା ଯୁବକଙ୍କୁ ନିଯୁକ୍ତି ଦେଲେ ସରକାର ଯୋଗାଇବେ ଆର୍ଥିକ ସହାୟତା। କେନ୍ଦ୍ର ସରକାର ଆତ୍ମନିର୍ଭର ରୋଜଗାର ଯୋଜନାରେ ଏହି ସହାୟତା ରାଶି ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

୨୦୨୦ ମାର୍ଚ୍ଚ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଚାକିରି ହରାଇଥିଲେ ଏବଂ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନ୍ୟ କୌଣସି ଇପିଏଫ୍‌ ପଞ୍ଜୀକୃତ ସଂସ୍ଥାରେ କାର୍ଯ୍ୟ କରୁ ନଥିଲେ ସେମାନଙ୍କୁ ଯଦି କୌଣସି କମ୍ପାନୀ ନିଯୁକ୍ତି ଦେବ ତାହେଲେ ସରକାର କିଛି ଆର୍ଥିକ ସହାୟତା ଯୋଗାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା କେନ୍ଦ୍ର କ୍ୟାବିନେଟ ବୈଠକ। ଏଥିରେ ଦେଶରେ ଦେଖାଦେଇଥିବା ବେରୋଜଗାରୀ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠିଥିଲା। ତେବେ ନିଯୁକ୍ତି ହାରକୁ ବଢ଼ାଇବା ପାଇଁ ସରକାର ଏକ ବୃହତ ନିଷ୍ପତ୍ତି ନେଇଛନ୍ତି। ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆରୱାଇ) ମାଧ୍ୟମରେ ବେରୋଜଗାରୀଙ୍କ ପାଇଁ ସରକାର ଭଣ୍ଡାର ଖୋଲିଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜ ୩-୦ରେ ଘୋଷଣା କରିଛନ୍ତି।

କ୍ୟାବିନେଟ ବୈଠକରେ ଏହି ଯୋଜନା ବାବଦରେ ଚଳିତ ଆର୍ଥିକ ବର୍ଷ ପାଇଁ ୧,୫୮୪ କୋଟି ଟଙ୍କାର ଖର୍ଚ୍ଚକୁ ଅନୁମୋଦନ ମିଳିଛି। ଏହାଛଡା ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୋଟ ୨୨,୮୧୦ କୋଟି ଟଙ୍କାର ଖର୍ଚ୍ଚ ପ୍ରସ୍ତାବ ମଧ୍ୟ କ୍ୟାବିନେଟର ସ୍ୱୀକୃତି ଲାଭ କରିଛି।

ଯେଉଁ ନୂଆ କର୍ମଚାରୀମାନେ ୨୦୨୦ ଅକ୍ଟୋବର ପହିଲାରୁ ୨୦୨୧ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ନୂତନ ନିଯୁକ୍ତି ପାଇବେ ସେମାନଙ୍କ ପାଇଁ କେନ୍ଦ୍ର ସରକାର ଦୁଇବର୍ଷ ନିମନ୍ତେ ଭବିଷ୍ୟନିଧି ପାଣ୍ଠି ବା ପିଏଫ୍ ଟଙ୍କା ନିର୍ଦ୍ଦିଷ୍ଟ ପରିମାଣରେ ଯୋଗାଇ ଦେବେ।

ସଂପୃକ୍ତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ମାଲିକଙ୍କ ଅଂଶ ସ୍ୱରୂପ ଇପିଏଫ୍‌ଓ ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠିକୁ ବେତନର ୧୨% ଏବଂ କର୍ମଚାରୀଙ୍କ ଅଂଶ ସ୍ୱରୂପ ୧୨% ଏପରି ମୋଟ ୨୪% ଅର୍ଥ ଦୁଇ ବର୍ଷ ପାଇଁ ଯୋଗାଇଦେବେ। ହଜାରେ କର୍ମଚାରୀ କାମ କରୁଥିବା ସଂସ୍ଥା ପାଇଁ ଏହି ସୁବିଧା ଯୋଗାଇ ଦେବେ ସରକାର।

ଯେଉଁ ସଂସ୍ଥାରେ ହଜାରେରୁ ଅଧିକ ଲୋକ କାମ କରୁଛନ୍ତି ସେଥିରେ କେନ୍ଦ୍ର ସରକାର କେବଳ ନୂଆ କର୍ମଚାରୀଙ୍କ ପାଇଁ ବେତନର ୧୨% ଇପିଏଫ୍‌ ଅଂଶ ବାବଦରେ ଯୋଗାଇଦେବେ। ଦୁଇ ବର୍ଷ ପାଇଁ ଏହି ଅର୍ଥ ଯୋଗାଇ ଦିଆଯିବ।

ଜଣେ କର୍ମଚାରୀ ଯଦି ୨୦୨୦ ଅକ୍ଟୋବର ପହିଲା ପୂର୍ବରୁ ମାସକୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବେ ଏବଂ ଏବେ ସେ ଇପିଏଫ୍‌ରେ ପଞ୍ଜୀକୃତ ହୋଇଥିବା କୌଣସି ସଂସ୍ଥାରେ କାମ କରୁ ନ ଥିବେ, ତାଙ୍କର ୟୁନଭର୍ସାଲ ଆକାଉଣ୍ଟ ନମ୍ବର ଓ ଇପିଏଫ୍‌ ସଦସ୍ୟତା ଆକାଉଣ୍ଟ ନମ୍ବର ନ ଥିଲେ ମଧ୍ୟ ତାଙ୍କୁ ଏହି ସୁବିଧା ମିଳିବ।

ଯେଉଁ ଇପିଏଫ୍‌ ସଦସ୍ୟଙ୍କର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଥିବ ଏବଂ ସେ ମାସିକ ୧୫ ହଜାର ଟଙ୍କାରୁ କମ୍‌ ବେତନ ପାଉଥିବେ ସେଭଳି କର୍ମଚାରୀ ଯଦି କରୋନା ମହାମାରୀ କାଳରେ ଅର୍ଥାତ୍‌ ୨୦୨୦ ମାର୍ଚ୍ଚ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଚାକିରି ହରାଇଥିବେ ଏବଂ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନ୍ୟ କୌଣସି ଇପିଏଫ୍‌ ପଞ୍ଜୀକୃତ ସଂସ୍ଥାରେ କାର୍ଯ୍ୟ କରୁ ନ ଥିବେ ସେମାନେ ମଧ୍ୟ ଏହି ସୁବିଧା ପାଇପାରିବେ।

ଇପିଏଫ୍‌ଓ ପକ୍ଷରୁ ଏହି ସରକାରୀ ସହାୟତା ରାଶିକୁ ସଂପୃକ୍ତ ସଦସ୍ୟଙ୍କ ଆଧାର ସଂଯୁକ୍ତ ଆକାଉଣ୍ଟ ନମ୍ବରରେ ଇଲେକ୍‌ଟ୍ରୋନିକ ବ୍ୟବସ୍ଥାରେ ଜମା କରାଯିବ ।

ଏହି ସ୍କିମ୍‌ ପାଇଁ ଇପିଏଫ୍‌ଓ ଏକ ସଫ୍ଟୱେୟାର ପ୍ରସ୍ତୁତ କରିବ ଏବଂ ସଂପୃକ୍ତ କର୍ମଚାରୀ ଯେପରି ଉପକୃତ ହୋଇପାରିବେ ସେଥିପାଇଁ ଏକ ପଦ୍ଧତି ବିକଶିତ କରି ସ୍ୱଚ୍ଛ ଭାବରେ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ପ୍ରେରଣ କରିବ ।

ଇପିଏଫ୍‌ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ଯୋଜନାର ହିତାଧିକାରୀ ଯେପରି ଏହି ଯୋଜନାରେ ଲାଭ ନ ପାଆନ୍ତି ତାହାକୁ ନିଶ୍ଚିତ କରିବା ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ପଦ୍ଧତି ନିର୍ଦ୍ଧାରଣ କରିବ ।

Related story