ହାଇଦ୍ରାବାଦ୍(ଓଡ଼ିଶା ରିପୋର୍ଟର୍): ଭାରତରେ ନିଜର ପ୍ରଥମ ଷ୍ଟୋର୍ ହାଇଦ୍ରାବାଦ୍ରେ ଖୋଲିବାର ମାସେ ଭିତରେ ବିବାଦରେ ଫସିଛି ବିଶ୍ୱର ନାମୀ ଫର୍ଣିଚର୍ ରିଟେଲର୍ କମ୍ପାନୀ ଇକିଆ। ତେବେ କୌଣସି ଫର୍ଣିଚର୍ରେ ତ୍ରୁଟି ଯୋଗୁ ନୁହେଁ, ବରଂ ନିଜ ଫ୍ୟାମିଲି ରେସ୍ତୁରାଁରେ ପ୍ରସ୍ତୁତ ବିରିୟାନୀ ଯୋଗୁ ଇକିଆ କମ୍ପାନୀକୁ କ୍ଷତି ସହିବାକୁ ପଡ଼ିଛି।
ହାଇଦ୍ରାବାଦ୍ରେ ଇକିଆ କମ୍ପାନୀ ଖୋଲିଥିବା ରେସ୍ତୁରାଁରେ ଅବିଦ୍ ମହମ୍ମଦ୍ ନାମକ ଜଣେ ଗ୍ରାହକ ଭେଜ୍ ବିରିୟାନୀ ଖାଉଥିବାବେଳେ ସେଥିରୁ ପୋକ ବାହାରିଥିଲା। ଅବିଦ୍ ଏହାର ଫଟୋ ଉଠାଇ ନିଜ ଟ୍ଵିଟର୍ରେ ଏହାକୁ ପୋଷ୍ଟ୍ କରିଥିଲେ ଏବଂ ଏସମ୍ପର୍କରେ ଗ୍ରେଟର୍ ହାଇଦ୍ରାବାଦ୍ ମହାନଗର ନିଗମର ଦୃଷ୍ଟି ଆକର୍ଷଣ କରିଥିଲେ।
#Ikeahyderbad Today I found caterpillar in my veg biryani. Very unfair of food @TV9Telugu @KTRTRS sir @hydcitypolice @THHyderabad @Abnandhrajyothi pic.twitter.com/jumiED25fs
— Abeed Mohammad (@abeedmohammed9) 31 August 2018
ଅବିଦ୍ଙ୍କ ଅଭିଯୋଗ ପାଇ ଗ୍ରେଟର୍ ହାଇଦ୍ରାବାଦ୍ ମହାନଗର ନିଗମର ଅଧିକାରୀମାନେ ରେସ୍ତୁରାଁକୁ ଆସି ଏହାର ତଦନ୍ତ ଆରମ୍ଭ କରିଥିଲେ। ଅବିଦ୍ଙ୍କ ଅଭିଯୋଗ ସତ ପ୍ରମାଣିତ ହେବା ପରେ ମହାନଗର ନିଗମ ପକ୍ଷରୁ ଇକିଆ କମ୍ପାନୀକୁ ୧୧,୫୦୦ ଟଙ୍କାର ଜୋରିମାନା ଧାର୍ଯ୍ୟ କରାଯାଇଛି।
ଏହା ପରେ ଇକିଆ କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରାଯାଇଛି ଏବଂ ଏପରି ତ୍ରୁଟି ଭବିଷ୍ୟତରେ ଆଉ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି।