ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣକୁ ଆହୁରି ତୀକ୍ଷ୍ଣ କରି ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ ବେଳେ ସିବିଆଇ ଅଧିକାରୀମାନେ ଡିଡିସିଏ (ଦିଲ୍ଲୀ ଆଣ୍ଡ୍ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍) ସଂପର୍କିତ ଏକ ଫାଇଲକୁ ଯାଞ୍ଚ୍ କରି ଥିଲେ। ସେ ଅଭିଯୋଗ କରିଛନ୍ତି ଯେ ସିବିଆଇ ଅଧିକାରୀମାନେ ତାଙ୍କର ପ୍ରମୁଖ ସଚିବଙ୍କ ବିରୋଧରେ ତଦନ୍ତ କରିବାକୁ ଆସିଥିଲେ। ତେବେ ଏହି ପ୍ରସଙ୍ଗ ସହିତ କୌଣସି ସଂପର୍କ ନ ଥିବା ଡିଡିସିଏର ଏକ ଫାଇଲକୁ ମଧ୍ୟ ସିବିଆଇ ଅଧିକାରୀମାନେ ତନ୍ନ ତନ୍ନ କରି ପଢ଼ିଥିଲେ। ଏପରିକି ସେମାନେ ସେଇଟିକୁ ଜବତ ମଧ୍ୟ କରି ନେଇଥିଲେ। ତେବେ ସେ ଏନେଇ ଗଣମାଧ୍ୟମରେ ପ୍ରକାଶ କରିବା ପରେ ସିବିଆଇ ଅଧିକାରୀମାନେ ସେଇଟିକୁ ପୁଣି ଥରେ ଅଫିସରେ ଛାଡ଼ି ଚାଲି ଯାଇଥିଲେ। କିନ୍ତୁ ସେମାନେ ଉକ୍ତ ଫାଇଲର ଏକ ନକଲ ନେଇ ନ ଥିବେ ବୋଲି ମଧ୍ୟ କୁହାଯାଇପାରିବ ନାହିଁ।
କେଜ୍ରିୱାଲ୍ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇ ନାହିଁ ବୋଲି କହି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସଂସଦକୁ ବିଭ୍ରାନ୍ତ କରୁଛନ୍ତି। ଡିଡିସିଏର କାର୍ଯ୍ୟକଳାପ ଉପରେ ଦିଲ୍ଲୀ ସରକାର ତନାଘନା କରିଥିବା ଯୋଗୁଁ ଡରି ଯାଇଛନ୍ତି ଜେଟଲୀ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ ଯେ ଜେଟଲୀ ୧୩ ବର୍ଷ ଧରି ଡିଡିସିଏର ମଙ୍ଗକୁ ନିଜ ହାତରେ ରଖିଛନ୍ତି ଓ ଅନେକ ଦୁର୍ନୀତିରେ ଲିପ୍ତ ଅଛନ୍ତି। ଅନ୍ୟପକ୍ଷରେ ଜେଟଲୀ ଏହାକୁ ଫାଲତୁ କଥା କହି ଏଡ଼ାଇ ଯାଇଥିଲେ।
ସୂଚନାଯୋଗ୍ୟ, ଗତକାଲି କେଜ୍ରିୱାଲଙ୍କ ପ୍ରମୁଖ ସଚିବ ରାଜେନ୍ଦ୍ର କୁମାରଙ୍କ ଅଫିସ୍ ଉପରେ ସିବିଆଇ ଚଢ଼ାଉ କରିଥିଲେ। ଏକ ଦୁର୍ନୀତି ମାମଲାରେ ସିବିଆଇ ଏହି ଚଢ଼ାଉ କରିଥିଲା ବୋଲି କୁହାଯାଉଛି। କିନ୍ତୁ କେଜ୍ରିୱାଲ୍ ଅଭିଯୋଗ କରିଛନ୍ତି ଯେ ପ୍ରକୃତରେ ଟାର୍ଗେଟରେ ତାଙ୍କୁ ରଖାଯାଇଛି। ତାଙ୍କ ପ୍ରମୁଖ ସଚିବଙ୍କୁ କେବଳ ମିଛଟାରେ ବଳି ପକାଯାଉଛି।