ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମୋଦିଙ୍କୁ ଚା-ବାଲା କହି ପୁଣି କଟାକ୍ଷ କରିଛି କଂଗ୍ରେସ। ଗୁଜରାଟ ଯୁବ କଂଗ୍ରେସର ଅନଲାଇନ୍ ମ୍ୟାଗାଜିନରେ ଏମିତି କଟାକ୍ଷ କରାଯାଇଥିଲା। ଏଥିରେ ଥିବା ଚିତ୍ର ଅନୁସାରେ ମୋଦି, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଓ ବ୍ରିଟେନର ପ୍ରଧାନମନ୍ତ୍ରୀ ଥେରେସା-ମେ କଥା ହେଉଛନ୍ତି। ବିରୋଧୀ ବିଭିନ୍ନ ପ୍ରସଙ୍ଗରେ କଟାକ୍ଷ କରୁଥିବା ଟ୍ରମ୍ପ ଓ ଥେରେସାଙ୍କ ଆଗରେ ଅଭିଯୋଗ କରୁଛନ୍ତି। ମୋଦି ଏହି କଟାକ୍ଷକୁ ଇଂରାଜୀରେ ମିମ୍ କୁହାଯାଏ। କିନ୍ତୁ ମୋଦି ତାକୁ ମେ ମେ ବୋଲି ଉଚ୍ଚାରଣ କରୁଛନ୍ତି। ଟ୍ରମ୍ପ ଏହାକୁ ସୁଧାରିଥିବା ବେଳେ ଥେରେସା ମୋଦିଙ୍କୁ କହୁଛନ୍ତି, ତମେ ଚା ବିକ।
କଂଗ୍ରେସର ଏହି କଟାକ୍ଷ ବିଜେପିକୁ ଦେଇଛି ସୁବର୍ଣ୍ଣ ସୁଯୋଗ। କଂଗ୍ରେସ ଗରିବ ବିରୋଧୀ ଓ ସାମନ୍ତବାଦୀ ଚିନ୍ତାଧାରାର ଦଳ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଟ୍ୱିଟ କରି ସମାଲୋଚନା କରିଛନ୍ତି। ଏହା ସହିତ ବିଜେପି ସାଂସଦ ପରେଶ ରାଓ୍ୱଲ ଏକ ଟ୍ୱିଟ୍ କରି କହିଛନ୍ତି, ଆମ ଚା ବାଲା ତମ ବାର୍ ବାଲାଠାରୁ ଭଲ। ବିଜେପି ପକ୍ଷରୁ କଂଗ୍ରେସକୁ କଡ଼ା ସମାଲୋଚନା କରାଯାଇଛି।
ଏହାକୁ ନେଇ ବ୍ୟାକ୍ ଫୁଟରେ ରହିବା ପରେ ଯୁବ କଂଗ୍ରେସ ସଭାପତି ରାଜା ଅମରିନ୍ଦର ବ୍ରାର୍ କ୍ଷମା ମାଗିଛନ୍ତି। ଏହା ସହିତ କଂଗ୍ରେସ ତରଫରୁ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି। ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟବାଲା କହିଛନ୍ତି, କଂଗ୍ରେସ ଏମିତି ଆପେକ୍ଷକୁ ପସନ୍ଦ କରେ ନାହିଁ। ଆଦର୍ଶ ଓ ଚିନ୍ତାଧାରାରେ ପାର୍ଥକ୍ୟ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଓ ସମସ୍ତ ବ୍ୟକ୍ତିବିଶେଷଙ୍କୁ କଂଗ୍ରେସ ସମ୍ମାନ ଦିଏ। ସବୁ ଆଡୁ ସମାଲୋଚିତ ହେବା ପରେ ସେହି କଟାକ୍ଷକୁ ହଟାଇ ଦେଇଛି ଗୁଜରାଟ ଯୁବ କଂଗ୍ରେସ।
୨୦୧୪ ନିର୍ବାଚନ ଆଗରୁ ମୋଦିଙ୍କୁ ଚା ବାଲା ବୋଲି କହିଥିଲେ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର। କଂଗ୍ରେସର କଟାକ୍ଷକୁ ନିର୍ବାଚନ ପ୍ରଚାର ଷ୍ଟ୍ରାଟେଜି ସାମିଲ କରି, ଚାଏ ପେ ଚର୍ଚ୍ଚା ନାଁରେ ଏକ କାର୍ଯ୍ୟକ୍ରମ କରିଥିଲା ବିଜେପି। ଯାହାକି ବେଶ୍ ହିଟ୍ ହୋଇଥିଲା ଏବଂ କଂଗ୍ରେସକୁ ଏହା ବହୁତ ମହଙ୍ଗା ପଡ଼ିଥିଲା। ସେହିପରି ୨୦୦୭ ଗୁଜରାଟ ବିଧାନସଭା ନିର୍ବାଚନ ଆଗରୁ ମୋଦିଙ୍କୁ ମୌତ୍ କା ସୌଦାଗର ବୋଲି ଆକ୍ଷେପ କରିଥିଲେ ସୋନିଆ ଗାନ୍ଧି। ୨୦୦୨ ଦଙ୍ଗାକୁ ଲକ୍ଷ୍ୟ କରି ସେ ଏହା କହିଥିଲେ। ଏହାକୁ ଗୁଜରାଟୀ ଅସ୍ମିତା ପ୍ରତି ଆକ୍ଷେପ ଭାବେ ପ୍ରଚାର କରି ନିର୍ବାଚନରେ ବିପୁଳ ଭୋଟ ପାଇଥିଲେ ମୋଦି। ଗୁଜରାଟ ନିର୍ବାଚନ ଆଗରୁ ମୋଦିଙ୍କୁ ଚା ବାଲା କହି, କଂଗ୍ରେସ ପୁଣି ସେହି ଭୁଲ ଦୋହରାଇଛି।