ନୂଆଦିଲ୍ଲୀ: ଆମ ଗହଣରେ ଆଉ ନାହାନ୍ତି ସୁଷମା ସ୍ୱରାଜ। ମଙ୍ଗଳବାର ରାତିରେ କାର୍ଡିଆକ୍ ଆରେଷ୍ଟରେ ତାଙ୍କର ପରଲୋକ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକୁ ଦେଶ ସବୁ ଦିନେ ମନେ ରଖିବ। ଜଣେ ନେତ୍ରୀ ଭାବେ ତାଙ୍କ ଦକ୍ଷତା ଉପରେ କେହି କେବେ ପ୍ରଶ୍ନ ଉଠାଇ ନାହାନ୍ତି। କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭଳି ପଦରେ କାର୍ଯ୍ୟ କରିଥିଲେ ବି ସୁଷମା ଭାରି ମିଶାଣିଆ। କେବଳ ନିଜ ଦଳ ନୁହେଁ, ଅନ୍ୟ ଦଳର ନେତାଙ୍କ ସହିତ ତାଙ୍କର ଖୁବ୍ ଭଲ ସଂପର୍କ ଥିଲା। ଅନେକ ନେତା ତାଙ୍କୁ ଦିଦି ବୋଲି ସମ୍ବୋଧନ କରୁଥିଲେ। କିଛି ନେତାଙ୍କର ସେ ଭଲ ସାଙ୍ଗ ମଧ୍ୟ ଥିଲେ। ବୈଦେଶିକ ମନ୍ତ୍ରୀ ଥିବା ବେଳେ ଲୋକେ ତାଙ୍କୁ ସିଧାସଳଖ ଟ୍ୱିଟ୍ କରି ସାହାଯ୍ୟ ମାଗୁଥିଲେ। ସେ ବି ସାହାଯ୍ୟ କରିବାରେ ଆଦୌ ଅବହେଳା କରୁ ନଥିଲେ। ସିଧାସଳଖ ଲୋକଙ୍କ ସହିତ ସଂପର୍କ ଯୋଡ଼ୁଥିଲେ। ସମସ୍ତଙ୍କୁ ଭଲ ପାଉଥିବା ଏଭଳି ଜଣେ ନିଆରା ମଣିଷଙ୍କ ଜନ୍ମ ହୋଇଥିଲା ୧୯୫୨ ମସିହା ଫେବ୍ରୁଆରୀ ୧୪ ତାରିଖରେ, ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ’ରେ। ହରିଆଣାର ଅମ୍ବାଲାର କାନ୍ତ ଗାଁରେ ସେ ଜନ୍ମ ହୋଇଥିଲେ।
୧୯୭୫ ମସିହା ଜୁଲାଇ ୧୩ ତାରିଖରେ ସୁଷମା ବିବାହ କରିଥିଲେ। ତାଙ୍କ ସ୍ୱାମୀଙ୍କ ନାଁ ସ୍ୱରାଜ କୌଶଲ। ସେ ସୁପ୍ରିମ୍କୋର୍ଟର ଜଣେ ଜଣାଶୁଣା କ୍ରିମିନାଲ୍ ଲୟର। ସେ ମାତ୍ର ୩୪ ବର୍ଷ ବୟସରେ ଆଡ୍ଭୋକେଟ୍ ଜେନେରାଲ୍ ହେବାର ଗୌରବ ହାସଲ କରିଥିଲେ। ୩୭ ବର୍ଷ ବୟସରେ ସେ ମିଜୋରାମ୍ର ରାଜ୍ୟପାଳ ହୋଇଥିଲେ। ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ଥିଲେ। ସେହିପରି ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ତେବେ ଜାଣନ୍ତି ସୁଷମା ଓ ସ୍ୱରାଜ ପ୍ରେମ ବିବାହ କରିଥିଲେ।
ସୁଷମା ଓ ସ୍ୱରାଜଙ୍କ ପ୍ରେମ କାହାଣୀ କଲେଜ୍ରେ ପଢ଼ିବା ଦିନରୁ ଆରମ୍ଭ ହୋଇଯାଇଥିଲା। ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ଲ’ ଡିପାର୍ଟମେଣ୍ଟରୁ ଆରମ୍ଭ ହୋଇଥିଲା ଏ ଦୁହିଁଙ୍କ ପ୍ରେମ କାହାଣୀ। ସବୁ ପ୍ରେମ କାହାଣୀ ପରି ଏ ଦୁହିଁଙ୍କ ପ୍ରେମ କାହାଣୀ ବି ଏତେ ସରଳ ନଥିଲା। ବାହା ହେବ ପାଇଁ ଉଭୟଙ୍କୁ ବେଶ୍ କଷ୍ଟ କରିବାକୁ ପଡ଼ିଥିଲା। ଉଭୟଙ୍କ ପରିବାର ଏ ବାହାଘର ସପକ୍ଷରେ ନଥିଲେ। ହରିଆଣାରେ ସେତେବେଳେ ଝିଅମାନଙ୍କୁ ବାହାଘର ବେଳେ ସେମାନଙ୍କ ପସନ୍ଦ ନାପସନ୍ଦ ବିଷୟରେ ପଚରା ଯାଉ ନଥିଲା। ଆଉ ପ୍ରେମ ତ ବହୁ ଦୂରର କଥା। ସେ ସମୟରେ ସୁଷମା ପ୍ରେମ କରିବାର ସାହସ କରିଥିଲେ ଓ ଏହାକୁ ବାହାଘରରେ ରୂପାନ୍ତର ବି କରିଥିଲେ। ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ସେ ବାହା ହୋଇଥିଲେ।
[caption id="attachment_416798" align="aligncenter" width="750"]
୨୫ ବର୍ଷ ବୟସରେ ସୁଷମା ହରିଆଣାରେ କ୍ୟାବିନେଟ୍ ମନ୍ତ୍ରୀ ହୋଇପାରିଥିଲେ। ପରବର୍ତ୍ତୀ ସମୟରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ସୁଷମା ଓ ସ୍ୱରାଜଙ୍କ ଭଳି ତାଙ୍କ ଝିଅ ବାଂସୁରୀ ମଧ୍ୟ ଜଣେ ଓକିଲ।