ନୂଆଦିଲ୍ଲୀ: ଇସ୍ରୋ ବୈଜ୍ଞାନିକଙ୍କ ସଫଳତା। ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ସୂଚନା ମିଳିଛି। ଚନ୍ଦ୍ରପୃଷ୍ଠରେ ଏହା ପଡ଼ିଥିବା ଜଣାପଡ଼ିଛି। ଏ ନେଇ ଇସ୍ରୋ ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଚନ୍ଦ୍ର ଚାରିପଟେ ଘୂରିବୁଲୁଥିବା ଅର୍ବିଟର ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ଚିତ୍ର ପଠାଇଛି ଇସ୍ରୋକୁ। ଏହା ପରେ ଇସ୍ରୋ ବୈଜ୍ଞାନିକମାନେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।
https://twitter.com/KailasavadivooS/status/1170612975582887937
ଇସ୍ରୋର କେତେକ ବୈଜ୍ଞାନିକ ଆଶଙ୍କା କରୁଛନ୍ତି ଯେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଖସି ପଡ଼ିଥିଲେ ଭାଙ୍ଗିରୁଜି ଯାଇଥିବ। ଏହାର କାରଣ ସଂପର୍କରେ କୁହାଯାଉଛି ଯେ ସମ୍ଭବତଃ ଏଥିରେ କୌଣସି ଡିଜାଇନ୍ ତ୍ରୁଟି ଥିଲା। ସେହିପରି ଏହାକୁ କ୍ରେନ୍ରୁ ପକେଇ ପରୀକ୍ଷା କରାଯାଇଥିଲା। ଚନ୍ଦ୍ରକୁ ପଠେଇବା ପୂର୍ବରୁ ଏହାକୁ ବହୁ ଉଚ୍ଚ ସ୍ଥାନରୁ ତଳକୁ ପକେଇ ପରୀକ୍ଷା କରିବାର ଥିଲା। ଏହିପରି ନାନାଦି ଆଶଙ୍କା ଓ ଆକଳନ ମଧ୍ୟରେ ବିକ୍ରମର ପତ୍ତା ମିଳିବା ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ନୂତନ ଉଦ୍ଦିପନା ସୃଷ୍ଟି କରିଛି।
ଗତକାଲି ମଧ୍ୟରାତ୍ରୀରେ ମିଶନ ଚନ୍ଦ୍ରାୟନ ୨ ଲ୍ୟାଣ୍ଡିଂ କରିବାର ଅନ୍ତିମ ସମୟରେ ଜଟିଳ ପରିସ୍ଥିତ ସୃଷ୍ଟି ହୋଇଥିଲା। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ନିକଟରେ ପହଞ୍ଚିବା ପାଇଁ ମାତ୍ର ୨.୧ କିଲୋମିଟର ଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଚନ୍ଦ୍ରଯାନରେ ଥିବା ଲ୍ୟାଣ୍ଡର ଓ ରୋଭର ସହିତ ଇସ୍ରୋର ସଂଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଚନ୍ଦ୍ରଯାନ ୨ରେ ଥିବା ଅର୍ବିଟର କାମ କରୁଥିଲା। ଅର୍ବିଟର ବର୍ଷେ ପାଇଁ ସକ୍ରିୟ ରହିବ ବୋଲି ବୈଜ୍ଞାନିକମାନେ କହିଥିଲେ। ଏହି ଅର୍ବିଟର ଜରିଆରେ ଚନ୍ଦ୍ରର ସମସ୍ତ ତଥ୍ୟ ଇସ୍ରୋ ସଂଗ୍ରହ କରୁଥିଲା।
ଗତକାଲି ଇସ୍ରୋର ବୈଜ୍ଞାନିକ ମଧ୍ୟ କହିଥିଲେ 'ମିଶନ ଚନ୍ଦ୍ରଯାନ-୨ର ୫ ପ୍ରତିଶତ ପ୍ରଭାବିତ ହୋଇଛି। ବାକି ୯୫ ପ୍ରତିଶତ ସଫଳ ରହିଛି। ଯେଉଁ ୫ ପ୍ରତିଶତ ପ୍ରଭାବିତ ହୋଇଛି ତାହା ଲ୍ୟାଣ୍ଡର ବିକ୍ରମ ଏବଂ ରୋବର ପ୍ରଜ୍ଞାନ ସହିତ ଯୋଗାଯୋଗ ବିଛିନ୍ନ ହେବା। ଚନ୍ଦ୍ରରେ ଏହା ପହଞ୍ଚିବା ପରେ ମାତ୍ର ୧୪ ଦିନ ପାଇଁ ଏହି ରୋଭର ପ୍ରଜ୍ଞାନ ସକ୍ରିୟ ରହିବ। ହେଲେ ମିଶନ ଚନ୍ଦ୍ରାୟାନ ୨ରେ ଅର୍ବିଟର ଆଗାମୀ ବର୍ଷେ ପାଇଁ କାମ କରିବ। ଏହି ଅର୍ବିଟର ଜରିଆରେ ଲ୍ୟାଣ୍ଡର ବିକ୍ରମ ବାବଦରେ ସୂଚନା ମିଳିବ।'
ଏବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ହେବା ପରେ ପ୍ରଜ୍ଞାନ ରୋବର ସହ ସଂଯୋଗ ହୋଇଯିବ। ଏହାପରେ ମିଶନ ଚନ୍ଦ୍ରଯାନରେ ଅସମ୍ପୂର୍ଣ୍ଣ ଥିବା ୫ ପ୍ରତିଶତ ସଫଳ ହୋଇପାରିବ ବୋଲି ଜଣାପଡ଼ିଛି।