ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖ ସୋମବାର ଚନ୍ଦ୍ରପୃଷ୍ଠକୁ ଭାରତ ତା'ର ଦ୍ୱିତୀୟ ମିଶନ୍ ଚନ୍ଦ୍ରଯାନ-୨ ଉତ୍କ୍ଷେପଣ କରିବ। ତେବେ ଏହାର ଉଲ୍ଲେଖନୀୟ ଦିଗଟି ହେଉଛି ବିଶ୍ୱରେ ପ୍ରଥମ ଥର ପାଇଁ ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱ ଉପରେ ଗବେଷଣା କରାଯିବ। ସୂଚନାଯୋଗ୍ୟ ଯେ, ଚନ୍ଦ୍ରର ଦକ୍ଷିଣ ମେରୁ ସବୁ ସମୟରେ ଅନ୍ଧାର ରହିଥାଏ ବା ଆମକୁ ଦେଖାଯାଇନଥାଏ।
ଏହି ମିଶନ୍ର ଲକ୍ଷ୍ୟ ହେଉଛି ଚନ୍ଦ୍ରର ଏହି ଅନ୍ଧାର ପଟକୁ ଭଲଭାବେ ବୁଝିବା, ଯାହା ଭାରତ ପାଇଁ ଏବଂ ସମଗ୍ର ମାନବ ସମାଜ ପାଇଁ ହିତକର ହେବ। ଏହି ଅଭିଯାନ ଜରିଆରେ ଚନ୍ଦ୍ର ଉପରେ ସ୍ୱତନ୍ତ୍ର ଗବେଷଣା ଏବଂ ଡକ୍ୟୁମେଣ୍ଟେସନ୍ ସମ୍ଭବପର ହୋଇପାରିବ। ଏହା ମହାକାଶର ବହୁ ଅଜଣା ତଥ୍ୟ ସାମ୍ନାକୁ ଆଣିବାରେ ସହାୟକ ହେବ।
ଇସ୍ରୋ ପକ୍ଷରୁ କୁହାଯାଇଛି, ଚନ୍ଦ୍ରପୃଷ୍ଠ ଉପରେ ବ୍ୟାପକ ଗବେଷଣା ହିଁ ଏହାର ସୃଷ୍ଟି ବାବଦରେ ଅଜଣା ତଥ୍ୟ ସାମ୍ନାକୁ ଆଣିପାରିବ। ଏତଦ୍ବ୍ୟତୀତ ଚନ୍ଦ୍ରରେ ଜଳର ଉପସ୍ଥିତି ବାବଦରେ ମଧ୍ୟ ଜାଣିହେବ। ତେବେ ଅନ୍ଧକାର ପାର୍ଶ୍ୱ ବା ଦକ୍ଷିଣ ମେରୁଟି ଉତ୍ତର ମେରୁ ଅପେକ୍ଷା ବଡ଼। ଏହି ଅନ୍ଧକାର ପାର୍ଶ୍ୱରେ ସ୍ଥାୟୀଭାବେ ଜଳ ଥିବାର ସମ୍ଭାବନା ମଧ୍ୟ ରହିଛି। ଏହି ମିଶନ୍ ମଣିଷର ଜ୍ଞାନର ପରିସୀମା ବଢ଼ାଇବାରେ ସହାୟକ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।