ajit_jogi
ରାୟପୁର: ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ଆଜି ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି କୋମାରେ ରହିବା ପରେ ଆଜି ଅପରାହ୍ନ ସାଢ଼େ ୩ଟାରେ ସେ ରାୟପୁରର ଏକ ଘରୋଇ ହସ୍ପିଟାଲ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ତାଙ୍କର ଦୁଇ ଥର ହୃଦ୍ଘାତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।
ଅଜିତ ଯୋଗୀଙ୍କ ପରଲୋକ ଖବର ତାଙ୍କ ପୁଅ ଅମିତ ଟ୍ୱିଟ୍ କରି ଘୋଷଣା କରିଥିଲେ। ସେ ଲେଖିଥିଲେ- କେବଳ ମୁଁ ନୁହେଁ, ଛତିଶଗଡ଼ ବି ଆଜି ତା’ ବାପାଙ୍କୁ ହରାଇଲା। ଆସନ୍ତାକାଲି ତାଙ୍କ ଜନ୍ମମାଟି ଗୋରେଲାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ମେ’ ୯ ତାରିଖରେ ଅଜିତ୍ ଯୋଗୀ ସକାଳ ଜଳଖିଆ କରି ବଗିଚାରେ ହ୍ୱିଲ୍ ଚେୟାରରେ ବୁଲୁ ଥିବା ବେଳେ ହୃଦ୍ଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିଲା ଓ ସେ କୋମାକୁ ଚାଲି ଯାଇଥିଲେ। ତାଙ୍କ ବ୍ରେନ୍କୁ ଆକ୍ଟିଭ୍ କରିବାକୁ ଡାକ୍ତରମାନେ ବହୁ ପ୍ରୟାସ କରିଥିଲେ ବି ତାହା ସମ୍ଭବ ହୋଇ ନଥିଲା।
ଅଜିତ ଯୋଗୀଙ୍କ ବିୟୋଗରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଡକ୍ଚର ରମଣ ସିଂହ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ଏଥିସହ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି।
ରାଜନୀତିରେ ଯୋଗ ଦେବା ପୂର୍ବରୁ ଭାରତୀୟ ପ୍ରଶାସନିକ ସେବାରେ ଥିଲେ ଅଜିତ ଯୋଗୀ। ୧୯୮୧ରୁ ୧୯୮୫ ପର୍ଯ୍ୟନ୍ତ ସେ ମଧ୍ୟପ୍ରଦେଶରର ଇନ୍ଦୋରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୦୦ ମସିହାରେ ଛତିଶଗଡ଼ ରାଜ୍ୟର ନିର୍ମାଣ ହୋଇଥିଲା। ୨୦୦୦ ନଭେମ୍ବରରୁ ୨୦୦୩ ନଭେମ୍ବର ଯାଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଜିତ ଯୋଗୀ। ସେତେବେଳେ ସେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ତେବେ ୨୦୦୩ ବିଧାନସଭା ନିର୍ବାଚନରେ ସେ ହାରିଯାଇଥିଲେ। କଂଗ୍ରେସ ସହିତ ମତପାର୍ଥକ୍ୟ ହେବା ପରେ ୨୦୧୬ରେ ସେ ଜନତା କଂଗ୍ରେସ ଛତିଶଗଡ଼ ଗଠନ କରିଥିଲେ। ତାଙ୍କ ପତ୍ନୀ ରେଣୁ ଯୋଗୀ ଏବେ ବିଧାୟିକା ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/ajit_jogi.jpg)