ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଡୋକଲାମରେ ଉତ୍ତେଜନା ଜାରି ରହିଛି। ପ୍ରାୟ ଦୁଇ ମାସ ହେଲା ସେଠାରେ ଏମିତି ସ୍ଥିତି ଲାଗି ରହିଛି। ଯୁଦ୍ଧ ପାଇଁ ଚୀନ ବାରମ୍ବାର ଭାରତକୁ ଧମକ ମଧ୍ୟ ଦେଉଛି। ବିଶେଷ କରି ଚୀନର ଗଣମାଧ୍ୟମ ଗୁଡ଼ିକରେ ଅଧିକ ମାତ୍ରାରେ ଯୁଦ୍ଧ ପାଇଁ ଧମକ ଦିଆଯାଉଛି। ଆଜି ମଧ୍ୟ ଏମିତି ଏକ ଖବର ଆସିଛି। ସୀମାବର୍ତ୍ତୀ ଅଞ୍ଚଳରେ ଚୀନ ସୈନିକମାନଙ୍କ ଗତିବିଧି ବଢ଼ାଇ ଦେବା ସହିତ ରକ୍ତ ଜମା କରୁଛି।
ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସରେ ପ୍ରକାଶ ପାଇଛି ଯେ ଚୀନ ସେନା ହୁନାନ ପ୍ରାନ୍ତର ଚାଙ୍ଗଶାରେ ଏକ ଡାକ୍ତରଖାନାରେ ରକ୍ତଭଣ୍ଡାର ଖୋଲିଛି। ସ୍ଥାନୀୟ ସରକାର ରକ୍ତ ସଂଗ୍ରହ କରି ସେଠାରେ ଜମା କରିବାର ଅଭିଯାନ ଚଲାଇଛନ୍ତି। ଏହା ବ୍ୟତୀତ ଚୀନର ହୁବେଇ ଓ ଗୁଆଙ୍ଗଶୀ ହୁଆଙ୍ଗ ଅଞ୍ଚଳ ସହିତ ଆଉ କିଛି ଅଞ୍ଚଳରେ ଥିବା ବଡ଼ ବଡ଼ ଡାକ୍ତରଖାନାଗୁଡ଼ିକରେ ରକ୍ତ ଜମା କରାଯାଉଛି। ଭାରତ ସହିତ ଯୁଦ୍ଧ କରିବା ପାଇଁ ଚୀନ ସେନା ପୂର୍ବ ପ୍ରସ୍ତୁତି ସ୍ୱରୂପ ରକ୍ତ ଜମା କରୁଛି ବୋଲି ଗ୍ଲୋବାଲ୍ ଟାଇମ୍ସ ଲେଖିଛି। ଯୁଦ୍ଧ ବେଳେ ଯେପରି ଆହତ ସୈନ୍ୟଙ୍କ ପାଇଁ ରକ୍ତର ଅଭାବ ରହିବ ନାହିଁ, ସେଥିପାଇଁ ଚୀନ ସେନା ଏଭଳି ବ୍ୟବସ୍ଥା କରିଛି।
ଚୀନର ଏହି ସରକାରୀ ଖବର କାଗଜ ଆହୁରି ଲେଖିଛି ଯେ ଯୁଦ୍ଧ ବେଳେ ଚୀନ ସେନା ତିବ୍ବଦ ବିମାନ ବନ୍ଦରକୁ ଯୁଦ୍ଧ ବିମାନ ଉଡ଼ାଣ ଓ ଅବତରଣ ପାଇଁ ବ୍ୟବହାର କରିପାରେ। ସିଚୁଆନ ପ୍ରାନ୍ତରେ ଭୂମିକମ୍ପ ହେବା ପୂର୍ବରୁ ଜମା ରକ୍ତକୁ ହସ୍ତାନ୍ତର କରାଯାଇଥିଲା। କୁହାଯାଉଛି ଏହାକୁ ତିବ୍ବତ ପଠାଯାଇଛି।
ଏଥିରେ ଲେଖାଯାଇଛି ଭାରତ ଯୁଦ୍ଧରେ ଚୀନକୁ କେବେ ବି ହରାଇ ପାରିବ ନାହିଁ। ତେବେ ସତକଥା ହେଲେ ଯଦି ଚୀନ ଭାରତ ସହିତ ଯୁଦ୍ଧ କରିବ ତା’ହେଲେ ଦୀର୍ଘ ବର୍ଷ ଧରି ଏହାର କୁପରିଣାମ ଭୋଗିବ।