ନୂଆଦିଲ୍ଲୀ: ଚୀନ୍ର ଦୋମୁହାଁ ନୀତି ସାରା ବିଶ୍ୱକୁ ଜଣା। ଏହାସତ୍ତ୍ୱେ ଏହି ଦେଶରେ ନେତାମାନଙ୍କ ନୀତି ନିର୍ଦ୍ଧାରଣରେ କୌଣସି ପରିବର୍ତ୍ତନ ହେଉନାହିଁ। ଯାହା ଆଜି ଆଉଥରେ ପ୍ରମାଣିତ ହୋଇଛି। ୟୁଏନ୍ରେ ଗତକାଲି ଭାରତକୁ ବିରୋଧ କରିଥିବା ଚୀନ୍ ଆଜି ଆମକୁ ଭଲ ପଡୋଶୀ କହି ତା’ର ଦୋମୁହାଁ ନୀତିକୁ ଆଉ ପାଦେ ଆଗେଇ ନେଇଛି।
ଗତକାଲି ୟୁଏନ୍ରେ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ଉପରେ ବାଧା ସୃଷ୍ଟି କରିଥିଲା ଚୀନ୍। ଫଳରେ ଭାରତର ଚତୁର୍ଥ ପ୍ରୟାସ ପାଣିରେ ମିଳାଇ ଯାଇଥିଲା। ବିଶ୍ୱ ଦରବାରରେ ଗତକାଲି ଭାରତକୁ ଏପରି ବିରୋଧ କରିଥିବା ଚୀନ୍ ଆଜି କହୁଛି ‘ଭାରତ ଆମର ଭଲ ପଡୋଶୀ’।
ବେଞ୍ଜିଂ ପକ୍ଷରୁ ସହକାରୀ ବୈଦେଶିକ ମନ୍ତ୍ରୀ ଚେନ୍ ଶିଆଂଡୋଙ୍ଗ ଆଜି କୁହିଛନ୍ତି, “ପାକିସ୍ତାନ ସମର୍ଥନରେ ଚାଲିଥିବା ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ନେଇ ସମସ୍ୟା ରହିଛି। ଏହାସତ୍ତ୍ୱେ ଦ୍ୱିପାକ୍ଷିକ ସମ୍ପର୍କ ଜରିଆରେ ଭାରତ ସହ ମିଳିତ ଭାବେ କାମ କରିବାକୁ ଆମେ ପ୍ରସ୍ତୁତ ଅଛୁ।”
ଚତୁର୍ଥ ଥର ପ୍ରତିବନ୍ଧକ ସାଜିଲା ଚୀନ
ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣାରୁ ଚତୁର୍ଥ ଥର ପାଇଁ ଚୀନ ବଞ୍ଚାଇ ଦେଇଛି। ଗୁରୁବାର ଆମେରିକା ସମେତ ଅନ୍ୟ ଦେଶଙ୍କ ଜୋରଦାର ପ୍ରୟାସ ସତ୍ତ୍ୱେ ଚୀନ୍ ସମସ୍ତଙ୍କୁ ଝଟକା ଦେଇଥିଲା। ପ୍ରତିବନ୍ଧକ ଲଗାଇବା କମିଟି ସଦସ୍ୟଙ୍କ ମଧ୍ୟରେ ଏହାକୁ ନେଇ ସହମତି ହୋଇନାହିଁ କହି ଚୀନ୍ ଆଝାର ପାଇଁ ସୁରକ୍ଷା କବଜ ସାଜିଥିଲା।
ସୂଚନାଯୋଗ୍ୟ, ୧୫ ସଦସ୍ୟ ବିଶିଷ୍ଟ ୟୁଏନ୍ ସିକ୍ୟୁରିଟି କାଉନସିଲର ଏକମାତ୍ର ଦେଶ ଭାବେ ଚୀନ୍ ଗତବର୍ଷ ମାର୍ଚ୍ଚରେ ଆଝାରକୁ ବିଶ୍ୱ ଆତଙ୍କୀ ଘୋଷଣା କରାଯିବାକୁ ବିରୋଧ କରିଥିଲା।