ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୨ମାସର ଡୋକଲାମ ବିବାଦରେ ଭାରତର କୂଟନୈତିକ ବିଜୟ ଘଟିଛି। ଚୀନ୍ ଓ ଭାରତ ଡୋକଲାମରୁ ନିଜ ସେନା ହଟାବାକୁ ରାଜି ହୋଇଛନ୍ତି। ଏହାସତ୍ତ୍ୱେ ଚୀନ୍ ଏହି ମାମଲାରେ ନିଜ ମତ ସ୍ପଷ୍ଟ କରିବା ପରି ଲାଗୁନାହିଁ। ଚୀନ୍ ସେନା ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି। ଏହାସହ ଫାଙ୍କା ଯୁଦ୍ଧ ଧମକ ଦେବା ପରି ଭାରତକୁ ପରାମର୍ଶ ଦେବାକୁ ଲାଗିଛି। ଚୀନ୍ ସେନାର ସିନିୟର କର୍ନଲ ୱ ଶିୟାନ କହିଛନ୍ତି- “ମାମଲାର ସମାଧାନ ହୋଇଥିବାରୁ ଆମେ ଖୁସି ଅଛୁ। ହେଲେ ଭାରତକୁ ଏହି ଘଟଣାରୁ ଶିକ୍ଷା କରିବାର ଅଛି। ଆମେ ଏବେ ବି ଏହି ଘଟଣା ଉପରେ ନଜର ରଖିଛୁ। ନିଜ ସର୍ବଭୌମତ୍ୱକୁ ଆମେ ରକ୍ଷା କରିବାକୁ ପ୍ରସ୍ତୁତ ଅଛୁ। ସମସ୍ୟାର ସମାଧାନ ହୋଇଥିବାରୁ ଏହି ଅଞ୍ଚଳରେ ପୁଣି ଥରେ ଶାନ୍ତି ଫେରି ଆସିବ। ଅନ୍ତରାଷ୍ଟ୍ରୀୟ ନିୟମକୁ ପାଳନ କରି ଏକା ସାଙ୍ଗରେ କାମ କରିବା ପରେ ଆମେ ଗୁରୁତ୍ୱ ଦେଉଛୁ।”
ଡୋକଲାମରୁ ସେନା ହଟାଯିବା ନେଇ ଦୁଇ ପକ୍ଷ ମଧ୍ୟରେ ସହମତି ହୋଇଥିବା ଭାରତ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଚୀନ ଏହାକୁ ଗୁରୁତ୍ୱ ଦେବା ଭଳି ଲାଗୁନାହିଁ। ଚୀନ୍ ପକ୍ଷରୁ ଦାବି କରାଯାଇଛି ଏବେ ବି ଆମ ସେନା ବିବାଦୀୟ ଅଞ୍ଚଳ ଗସ୍ତ କରୁଛି। ଏହାସହ ଚୀନ୍ ପକ୍ଷରୁ ଭାରତ ସେନା ହଟାଇ ନେଇଥିବା କୁହାଯାଇଛି।
ଅନ୍ୟପକ୍ଷରେ ଡୋକଲାମରୁ ଉଭୟ ସେନା ହଟାଇବାକୁ ସହମତ ହୋଇଥିବା ନେଇ ଭାରତ ପକ୍ଷରୁ କୁହାଯିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚୀନ୍ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନୟିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ଚୀନ୍ ନିଜ ଭୁଲ ମାନି ନେଇଥିବା ନେଇ ସୋସିଆଲ ମିଡିଆରେ ପ୍ରକାଶ ପାଇଥିବା ଟିପ୍ପଣି ଭୁଲ ବୋଲି ଚୁନୟିଙ୍ଗ କହିବାକୁ ଚେଷ୍ଟା କରିଛନ୍ତି।