ନୂଆଦିଲ୍ଲୀ: ଆମେରିକାର ଏକପାଖିଆ ଏବଂ ରକ୍ଷଣଶୀଳ ବାଣିଜ୍ୟିକ ନୀତି ଚାଇନାର ଅର୍ଥନୀତିର ଅଣ୍ଟା ଭାଙ୍ଗିଦେବାକୁ ବସିଛି। ଏବେ ଏହାର ମୁକାବିଲା ପାଇଁ ଭାରତର ସହଯୋଗ ଲୋଡ଼ିଛି ଚାଇନା। ଏତଦ୍ବ୍ୟତୀତ ଦ୍ୱିପାକ୍ଷିକ ବାଣିଜ୍ୟିକ ଅସମାନତା ନେଇ ଭାରତ ମଧ୍ୟ ସମସ୍ୟା ଭୋଗୁଥିବା କଥା ଚାଇନା ବୁଝିପାରିଛି ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଭାରତ ନିଜର ବାଣିଜ୍ୟିକ ନିଅଣ୍ଟ ସମସ୍ୟାର ସମାଧାନ ପାଇଁ ଚାଇନା ଫାର୍ମାସ୍ୟୁଟିକାଲ ବଜାରରେ ପ୍ରବେଶ ସୁଯୋଗ ଖୋଜୁଛି। ଏହା ଫଳରେ ଗତ ଆର୍ଥିକ ବର୍ଷରେ ହୋଇଥିବା କ୍ଷତିର ଭରଣା କରାଯାଇପାରିବ।
ଭାରତରେ ନବ ନିଯୁକ୍ତ ଚାଇନାର ରାଷ୍ଟ୍ରଦୂତ ସନ୍ ୱେଡଙ୍ଗ୍ କହିଛନ୍ତି, "ଚାଇନା ଭାରତର ସମସ୍ୟାକୁ ବୁଝିପାରୁଛି। କିନ୍ତୁ ମୁଁ ଜଣାଇବାକୁ ଚାହୁଁଛି ଯେ, ଆମେ ଭାରତ ଉପରେ କେବେ ମଧ୍ୟ ଜୋର ଜବରଦସ୍ତ ବାଣିଜ୍ୟିକ ଚାପ ପକାଇ ନାହୁଁ। ବରଂ ଚାଇନା ଭାରତରୁ ଚାଉଳ ଏବଂ ଚିନି ଆଦି ଆମଦାନୀ କରିବା ପାଇଁ ପଦକ୍ଷେପ ନେଇଛି। ଏତଦ୍ବ୍ୟତୀତ ଭାରତୀୟ ଫାର୍ମା ବ୍ୟବସାୟ ଏବଂ କୃଷିଜାତ ଉତ୍ପାଦର ବ୍ୟବସାୟ ପାଇଁ ସୁଯୋଗ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।"
ସେ ତଥ୍ୟ ଦେଇ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଭାରତରୁ ଚାଇନାକୁ ଆମଦାନୀ କରାଯାଉଥିବା ଉତ୍ପାଦର ପରିମାଣ ୧୫% ବଢ଼ିଛି। ଚାଇନା ବଜାରରେ ଅଧିକ ଭାରତୀୟ ଉତ୍ପାଦ ସ୍ଥାନ ପାଇଛି। ଗତବର୍ଷରେ ହିଁ ଭାରତୀୟ କୃଷି ଉତ୍ପାଦର ଆମଦାନୀ ଦୁଇଗୁଣା କରାଯାଇଛି।
ସେ କହିଛନ୍ତି, ଲଗାତାର ପ୍ରୟାସରେ ବାଣିଜ୍ୟିକ ନିଅଣ୍ଟ ଜନିତ ସମସ୍ୟାର ସମାଧାନ କରିହେବ। ଚାଇନା ଏବଂ ଭାରତ ବିଭିନ୍ନ ଫୋରମ୍ରେ ଆଲୋଚନାର ସୁଯୋଗ ରହିଛି, ଯେଉଁଥିରେ ବାଣିଜ୍ୟିକ ଅସମାନତା ବାବଦରେ ଆଲୋଚନା କରିହେବ।
ସୂଚନାଯୋଗ୍ୟ ଯେ ଭାରତ ଏବଂ ଆମେରିକା ମଧ୍ୟରେ ବିଭିନ୍ନ ବାଣିଜ୍ୟିକ ପ୍ରସଙ୍ଗକୁ ନେଇ ତୁ ତୁ ମେଁ ମେଁ ଚାଲିଆସିଛି। ଭାରତ ଚାହୁଁଛି ଆମେରିକୀୟ କମ୍ପାନୀମାନେ ଭାରତରେ ହିଁ ଡାଟା ଷ୍ଟୋର କରନ୍ତୁ। ଏତଦ୍ବ୍ୟତୀତ ଇ-କମର୍ସର କିଛି ନିୟମରେ ମଧ୍ୟ ଭାରତ ପରିବର୍ତ୍ତନ ଚାହୁଁଛି। ଏହା ଆମେରିକାର ଟେକ୍ନୋଲଜି ଭିତ୍ତିକ କମ୍ପାନୀଙ୍କ ପାଇଁ ଅଡ଼ୁଆ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।