ନୂଆଦିଲ୍ଲୀ: ଶେଷରେ ମୁଣ୍ଡ ନଇଁଲା ଚୀନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଚୀନ ଗସ୍ତ ପୂର୍ବରୁ ଭାରତର ବଡ଼ କୂଟନୈତିକ ବିଜୟ। ଗତ ୨ମାସ ଧରି ଚାଲିଥିବା ଡୋକ୍ଲାମ ବିବାଦରେ ପଡିଛି ପୂର୍ଣ୍ଣଛେଦ। ଡୋକ୍ଲାମ ସୀମାର ପଛକୁ ହଟିବା ପାଇଁ ରାଜି ହୋଇଛି ଚୀନ ସେନା । ଏଥିସହ ସୀମାରେ କରୁଥିବା ରାସ୍ତା କାମକୁ ସ୍ତଗିତ ରଖିଛି ଚୀନ। କେବଳ ସେତିକି ନୁହଁ ରାସ୍ତାକାମ ପାଇଁ ବ୍ୟବହୃତ ହେଉ ଥିବା ସରଞ୍ଜାମକୁ ହଟେଇନେଇଛି ଚୀନ । ସୀମାକୁ ନେଇ ଦୀର୍ଘ ୧୦ ସପ୍ତାହ ଧରି ବିବାଦ ଜାରି ରହିବା ପରେ ଏବେ ସମାଧାନ ଆଡ଼କୁ ଗତି କରିଛି।
ଏନେଇ ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ସେହିପରି ଦୁଇ ମାସର ମୁହାଁମୁହିଁ ସ୍ଥିତି ପରେ ଏହି ବିବାଦୀୟ ଅଞ୍ଚଳରୁ ସୈନ୍ୟ ହଟାଇ ନେବାକୁ ରାଜି ହୋଇଛି ଚୀନ । ଚୀନ୍ ବିବାଦର ସମାଧାନ ଲାଗି କୁଟନୈତିକସ୍ତରରେ ଉଦ୍ୟମ ଜାରି ରହିଥିଲା। ବିବାଦୀୟ ଅଞ୍ଚଳରୁ ସୈନ୍ୟ ହଟାଇବା ନେଇ ରାଜିନାମା ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଉଭୟ ଦେଶର ସୈନ୍ୟ ବିବାଦୀୟ ଅଞ୍ଚଳରୁ ହଟୁଥିବା ଭାରତ କହିଛି। ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଲାଗି ରାଜି ହୋଇଥିବାରୁ ଚୀନ୍ ସନ୍ତୁଷ୍ଟ ବୋଲି ବେଜିଂ କହିଛ॥
ଅନ୍ୟପକ୍ଷରେ ଡୋକଲାମ ଚୀନ୍ ଅଞ୍ଚଳ ହୋଇଥିବାରୁ ପିଏଲଏ ସେଠାରେ ପୋଟ୍ରାଲିଂ ଜାରି ରଖିବ ବୋଲି ଚୀନ୍ ବୈଦେଶିକ ବ୍ୟାପାର ମୁଖପାତ୍ର କହିଛନ୍ତି। ସେପଟେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ପରେ ଚୀନ ଯିବେ। ତା’ ପୂର୍ବରୁ ଡୋକଲାମ୍ ବିବାଦର ସମାଧାନ ଭାରତ ପାଇଁ ଏକ ବୃହତ କୂଟନୀତିଜ୍ଞ ବିଜୟ ବୋଲି କୁହାଯାଉଛି॥ ସିକିମ୍ ସୀମା ନିକଟରେ ଥିବା ଡୋକ୍ଲାମକୁ ନେଇ ଦୀର୍ଘ ଦୁଇ ମାସ ହେବ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିଲା ଉତ୍ତେଜନା ।
ଏଠାରେ ଚୀନ୍ ବେଆଇନ ରାସ୍ତା ନିର୍ମାଣକୁ ଭାରତ ବିରୋଧ କରି ସୈନ୍ୟ ପଠାଇଥିଲା। ଉଭୟ ଦେଶର ସୈନ୍ୟ ଏଠାରେ ଠେଲାପେଲା ବି ହୋଇଥିଲେ। ପରେ ଚୀନ୍ ସୈନ୍ୟ ଉତ୍ତରାଖଣ୍ଡର ଚାମୋଲି ଓ ଗତ ୧୫ ତାରିଖରେ ଲଦାଖର ପାନ୍ଗଙ୍ଗ ହ୍ରଦ ଅଞ୍ଚଳରେ ମଧ୍ୟ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଭାରତୀୟ ସୈନ୍ୟ ବାଧା ଦେବାରୁ ଉଭୟ ପକ୍ଷରେ ମଧ୍ୟରେ ଟେକା ପଥର ମାଡ଼ ହୋଇ କିଛି ସୈନ୍ୟ ଆହତ ହୋଇଥିଲେ। ଚୀନର ଅଞ୍ଚଳରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ନକଲେ ଚରମ ପରିଣତି ଭୋଗିବାକୁ ପଡିବ ବୋଲି ବେଜିଂ ଧମକ ଦେଇଥିଲା। ତେବେ ଡୋକଲାମ୍ ଭୁଟାନର ଅଞ୍ଚଳ ଓ ଭୁଟାନ ସରକାରଙ୍କ ଅନୁରୋଧକ୍ରମେ ଭାରତୀୟ ସୈନ୍ୟ ସେଠାକୁ ଯାଇଥିବା ଭାରତ ପକ୍ଷରୁ କୁହାଯାଇଥିଲା।