ବେଜିଂ: ରବିବାର ଠାରୁ ଦକ୍ଷିଣ ଚୀନରେ ପ୍ରବଳ ବର୍ଷା ଲାଗିରହିଛି। ବର୍ଷା ଓ ବର୍ଷା ଜନିତ ଭୂସ୍ଖଳନ ଯୋଗୁ ୮ ଟି ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୧୦ ଜଣ ମୃତ୍ୟୁ ଘଟିଛି। ୪ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରୁ ୫ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କ ଉପରେ ପଥର ଖସି ପଡ଼ିବାରୁ ପ୍ରାଣ ହରାଇଥିଲା। ସେହିପରି ଆଉ ଦୁଇ ଜଣ ଭୂସ୍ଖଳନ ଯୋଗୁ ପୋତି ହୋଇଯାଇଥିବା ବେଳେ ଆଉ ଜଣଙ୍କ ଉପରେ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ମଙ୍ଗଳବାର ଚୀନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଏହି ସୂଚନା।
ଏହି ବର୍ଷା ଯୋଗୁ ଦକ୍ଷିଣ ଚୀନର ୩୦ଟି ସହରରେ ୩,୭୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ୧୭,୦୦୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଥିଲାବେଳେ ୩୦୦ ଟି ଘର ଭାଙ୍ଗି ଯାଇଛି। ବର୍ତ୍ତମାନ ସୁଦ୍ଧା ୩୦୦ ମିଲିୟନ ଡଲାରର କ୍ଷତି ହୋଇସାରିଥିବା ନେଇ ଆକଳନ କରିଛି ଆଭ୍ୟନ୍ତରୀଣ ମନ୍ତ୍ରାଣାଳୟ।