ମୁମ୍ବାଇ: ୧୧ ମାସର ପତ୍ନୀଙ୍କୁ ନିର୍ଯାତନା ଦେବା ଏବଂ ତା’ର ପେଟକୁ ମାରି ଗର୍ଭନଷ୍ଟ କରିବା ଅଭିଯୋଗରେ ଜଣେ ଓକିଲଙ୍କୁ ମୁମ୍ବାଇର କୋଲାବା ପୋଲିସ ଗିରଫ କରିଛି। ମଙ୍ଗଳବାର ଏନେଇ ଏକ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ମହିଳା ଜଣକ ମଧ୍ୟ ମୁମ୍ବାଇ ସେସନ୍ କୋର୍ଟରେ ଓକିଲାତି କରୁଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗର୍ଭପାତ କରିବା ପାଇଁ ତାଙ୍କ ସ୍ୱାମୀ ବାରମ୍ବାର ଚାପ ପକାଉଥିଲେ। ଏଥିରେ ରାଜି ନ ହେବାରୁ ସେ ବାରମ୍ବାର ମାରପିଟ୍ ଓ ଅକଥନୀୟ ନିର୍ଯାତନା ଦେଉଥିଲେ। ଏପରିକି ଗର୍ଭ ନଷ୍ଟ ନକଲେ ତାଙ୍କୁ ଖଣ୍ଡା ଦେଖାଇ ହତ୍ୟା ଧମକ ଦେଉଥିଲେ। ମହିଳା ଜଣକ ଦିଲ୍ଲୀର ହୋଇଥିବା ବେଳେ ସେ ମୁମ୍ବାଇରେ ରହିଆସୁଥିଲେ। ମୁମ୍ବାଇରେ ପାଠ ପଢୁଥିଲା ବେଳେ ଉଭୟଙ୍କର ଦେଖାସାକ୍ଷାତ ହୋଇ ପରବର୍ତ୍ତୀ ସମୟରେ ତାହା ପ୍ରେମର ରୂପ ନେଇଥିଲା।
ପରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ତାଙ୍କ ସ୍ୱାମୀ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତାଙ୍କୁ ବାରମ୍ବାର ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ। ତାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ କେହି ଜଣେ ପ୍ରେତାତ୍ମା ତାଙ୍କ ଉପରେ ସବାର ହୋଇ କହିଥିଲା ଯେ, ଯଦି ଏହି ପିଲା ଜନ୍ମ ହୁଏ ତେବେ ଘରର ଅନିଷ୍ଟ ହେବ। ତେଣୁ ଏହି ପିଲାକୁ ନଷ୍ଟ କରିଦିଅ । ସ୍ୱାମୀର କହିବା ଅନୁଯାୟୀ ପ୍ରେତଆତ୍ମାମାନେ ଯାହା କୁହନ୍ତି ତାହା ସତ୍ୟରେ ପରିଣତ ହୋଇଥାଏ। ତେଣୁ ଗର୍ଭପାତ କରିବା ପାଇଁ ସେ ମୋ ଉପରେ ବାରମ୍ବାର ଚାପ ପକାଉଥିଲେ। ହେଲେ ମୁଁ ଯେତେବେଳେ ମନା କଲି ସେ ମୋତେ ଅପମାନ ଓ ଲାଞ୍ଛିତ କରିବା ଆରମ୍ଭ କଲେ। ଏମିତିକି ଯାବତୀୟ ନିର୍ଯାତନା ଦେଲେ। ଆଉ ଶେଷରେ ଗୋଟିଏ ଦିନରେ ସେ ଗୋଟିଏ ବାଡ଼ିଆଣି ମୋ ଗର୍ଭକୁ ଲକ୍ଷ୍ୟ କରି ଶକ୍ତ ପ୍ରହାର କଲେ।
ଏନେଇ ଗତ ମେ’ ୨୨ ତାରିଖରେ ମୋ ପରିବାର ଲୋକେ ଦିଲ୍ଲୀ ନେଇ ଏକ ହସପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର କହିଲେ ପେଟଭିତରୁ ବ୍ଲିଡିଂ ହେଉଛି ଏବଂ ଗର୍ଭରେ ଥିବା ପିଲା ନଷ୍ଟ ହୋଇଯାଇଛି। ପରେ ମୁଁ ସୁସ୍ଥ ହୋଇ ଥାନାରେ ଅଭିଯୋଗ କଲି ବୋଲି ମହିଳା ଜଣକ କହିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଜାରି ରହିଥିବା ଜୋନାଲ ୱାନ୍ର ଡେପୁଟି କମିଶନର ମନୋଜ ଶର୍ମା କହିଛନ୍ତି। ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୧୫(ଜାଣିଶୁଣି ଗର୍ଭରେ ଥିବା ପିଲାକୁ ମାରିଦେବା), ୩୨୪( ନିର୍ଯାତନା ଦେବା), ୫୦୪( ଜାଣିଶୁଣି ଅପାମାନ କରିବା) ଏବଂ ୫୦୬(ଅପରାଧିକ କାର୍ଯ୍ୟକଳାପ) ଧାରାରେ ମାମଲା ରୁଜୁ କରିଛି।
ସୌଜନ୍ୟ:ଟାଇମ୍ସ ଅଫ ଇଣ୍ଡିଆ