ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ନାମରେ ପ୍ରତ୍ୟର୍ପଣ ମାମଲା ଚାଲିଛି। ଲଣ୍ଡନରେ ପ୍ରତ୍ୟର୍ପଣ ନେଇ ଏବେ ମାମଲାର ଶୁଣାଣି ଚାଲିଛି। ଏବେ ଏହି ମାମଲରେ ଟୁଇଷ୍ଟ ଆସିଛି। କାରଣ ନୀରବଙ୍କ ସପକ୍ଷରେ ଭିଡିଓ କନଫରେନସିଂ ଜରିଆରେ ମତ ରଖିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ବିଚାରପତି ଅଭୟ ଥିପ୍ସେ। ସେ କହିଛନ୍ତି ଭାରତୀୟ ଆଇନ ଅନୁସାରେ ନୀରବ ମୋଦିଙ୍କ ଉପରେ କୌଣସି କେସ ନାହିଁ। ଅଭୟ ଥିପ୍ସେ ବିଚାରପତିରୁ ଅବସର ନେବା ପରେ କଂଗ୍ରେସରେ ଦୁଇ ବର୍ଷ ତଳେ ଯୋଗ ଦେଇଥିଲେ। କଂଗ୍ରେସ ନେତା ଅଭୟ ନୀରବଙ୍କ ସପକ୍ଷରେ ମତ ରଖିବା ପରେ ବିଜେପି ଏବେ ରାହୁଲ ଗାନ୍ଧୀଙ୍କ ଜବାବ ମାଗିଛି।
କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ୧୩ ମେ'ରେ ବମ୍ୱେ ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ନୀରବ ମୋଦିଙ୍କ ସପକ୍ଷରେ ଲଣ୍ଡନ କୋର୍ଟରେ ପକ୍ଷ ରଖିଛନ୍ତି। ନୀରବଙ୍କ ବିରୋଧରେ କୌଣସି ମାମଲା ନାହିଁ ବୋଲି ସେ କହିଛନ୍ତି। ନୀରବଙ୍କୁ ସୁରକ୍ଷା ଦେବା ପାଇଁ ସେ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ପୂର୍ବତନ ବିଚାରପତି ୧୩ ଜୁନ୍ ୨୦୧୮ରେ କଂଗ୍ରେସରେ ଯୋଗ ଦେଇଥିଲେ। ଥିପ୍ସେ କଂଗ୍ରେସରେ ସାମିଲ୍ ହେବା ବେଳେ ତାଙ୍କ ସହିତ ଅଶୋକ ଗେହଲଟ ଏବଂ ଅଶୋକ ଚୌହ୍ୱାନ ସାମିଲ୍ ଥିଲେ।
ରବିଶଙ୍କର ଆହୁରି କହିଛନ୍ତି ନୀରବ ମୋଦିଙ୍କୁ ନେଇ ଯେଉଁ ମାମଲା ରହିଛି ତାହା କଂଗ୍ରେସ ସରକାର ବେଳେ ହୋଇଛି। ୧୩ ସେପ୍ଚେମ୍ୱର ୨୦୧୩ରେ ନୀରବ ମୋଦିଙ୍କ ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ। ଏବେ କଂଗ୍ରେସ ଏହାର ଜବାବ ଦେବା ଦରକାର ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି।
https://twitter.com/BJP4India/status/1260824691582873606
ସୂଚନାଯୋଗ୍ୟ, ଲଣ୍ଡନର ଟ୍ରାଏଲ କୋର୍ଟରେ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି ଚାଲିଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ଶୁଣାଣି ବେଳେ ମଙ୍ଗଳବାର ଦିନ ମୋଦିଙ୍କ ଓକିଲ କହିଛନ୍ତି ନୀରବ ମାନସିକ ରୋଗୀ। ସେ ଅସୁସ୍ଥ ରହିଥିବାରୁ ଭାରତ ସରକାରଙ୍କୁ ତାଙ୍କୁ ପ୍ରତ୍ୟର୍ପଣ କରାନଯାଉ। ଏହି ରୋଗରେ ଚିକିତ୍ସା ଭାରତରେ ନାହିଁ ବୋଲି ନୀରବଙ୍କ ଓକିଲ ଯୁକ୍ତି ରଖିଥିଲେ। ଭାରତ ସରକାର ଜେଲର ସ୍ଥିତି ବାବଦରେ ଯେଉଁ ସୂଚନା ଦେଇଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ନିରବଙ୍କ ଓକିଲ କହିଛନ୍ତି। ମୁମ୍ୱାଇର ଆର୍ଥର ରୋଡ୍ ଜେଲକୁ ଗଲେ ସେଠାରେ ନିରବଙ୍କ ଚିକିତ୍ସା ହେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ନୀରବ ମୋଦିଙ୍କୁ ଗତବର୍ଷ ମାର୍ଚ୍ଚରେ ଲଣ୍ଡନରୁ ଗିରଫ କରାଯାଇଛି। ଏହାରି ଭିତରେ ୫ ଥର ତାଙ୍କର ଜାମିନ୍ ଖାରଜ ହୋଇ ସାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।