ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ, ଏନ୍‌ସିପି-କଂଗ୍ରେସ ସହମତ!

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର କିଏ ଗଠନ କରିବ, ତା’ର ଫୈସଲା ଆସନ୍ତାକାଲି ହେବ। ଗତକାଲି କଂଗ୍ରେସ-ଏନ୍‌ସିପି ଏ ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଶିବସେନା ସମାନ କଥା ଦୋହରାଇଛି। ବିଜେପି ସରକାର ଗଠନ ରେସରୁ ବାଦ ପଡ଼ିବାରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଠନ ପାଇଁ ଘନଘନ ବୈଠକ କରିବାରେ ଲାଗିଛନ୍ତି। ତଥାପି ୩ଟି ଯାକ ଦଳ ଏଯାଏ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇ ପାରୁନାହାନ୍ତି। ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି, ଶିବସେନା […]

thakrey

Subrat Kumar Nayak
  • Published: Thursday, 21 November 2019
  • , Updated: 21 November 2019, 07:52 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର କିଏ ଗଠନ କରିବ, ତା’ର ଫୈସଲା ଆସନ୍ତାକାଲି ହେବ। ଗତକାଲି କଂଗ୍ରେସ-ଏନ୍‌ସିପି ଏ ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଶିବସେନା ସମାନ କଥା ଦୋହରାଇଛି। ବିଜେପି ସରକାର ଗଠନ ରେସରୁ ବାଦ ପଡ଼ିବାରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଠନ ପାଇଁ ଘନଘନ ବୈଠକ କରିବାରେ ଲାଗିଛନ୍ତି। ତଥାପି ୩ଟି ଯାକ ଦଳ ଏଯାଏ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇ ପାରୁନାହାନ୍ତି। ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି, ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ହିଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଉଭୟ କଂଗ୍ରେସ ଏବଂ ଏନ୍‌ସିପି ଚାହାନ୍ତି।

ତେବେ ଆଜିର ବୈଠକରେ ପୋର୍ଟଫୋଲିଓ ବଣ୍ଟନ ନେଇ ଆଲୋଚନା ହୋଇନଥିବା ଜଣାପଡ଼ିଛି। କଂଗ୍ରେସ ଚାହୁଁଛି ମନ୍ତ୍ରୀମଣ୍ଡଳ ୩ ଦଳଙ୍କ ମଧ୍ୟରେ ସମାନ ଭାଗ ହେବ। ଅର୍ଥାତ ୧୪-୧୪-୧୪ରେ ଏହା ଭାଗ ବଣ୍ଟା ହେଉ ବୋଲି ଏହି ସର୍ବପୁରାତନ ଦଳ ଚାହୁଁଛି। ଅନ୍ୟପକ୍ଷରେ ଏନ୍‌ସିପି ବୈଠକରେ ଯଦିଓ ରୋଟେସନାଲ ମୁଖ୍ୟମନ୍ତ୍ରୀ କଥା ଉଠାଇନାହିଁ, ଏହା ଉଦ୍ଧବ ଠାକ୍‌ରେଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ସମର୍ଥନ ଜଣାଇଛି। ଏପରିକି ଶିବସେନାର ଏକନାଥ ସିନ୍ଦେ ମଧ୍ୟ କହିସାରିଛନ୍ତି ଉଦ୍ଧବ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

ତେବେ ପୋର୍ଟଫୋଲିଓକୁ ହିସାବକୁ ନେଲେ ଶିବସେନା ଚାହୁଁଛି ସହର ବିକାଶ, ପୂର୍ତ୍ତ, ଗୃହ, ଶିକ୍ଷା ଏବଂ ଗ୍ରାମୀଣ ବିକାଶ ଆଦି ବିଭାଗ ଏହା ଅଧୀନରେ ରହୁ। ଏନ୍‌ସିପି ବାଚସ୍ପତି ପଦ ଚାହୁଁଥିବାବେଳେ ଏହା ମଧ୍ୟ ଗୃହ, ଅର୍ଥ, ପୂର୍ତ୍ତ ଏବଂ ଜଳସମ୍ପଦ ଆଦି ବିଭାଗ ଚାହୁଁଛି। କିନ୍ତୁ କଂଗ୍ରେସ ଏସବୁ ବାବଦରେ ଚୁପ୍‌ ରହିଛି। କଂଗ୍ରେସ ପକ୍ଷରୁ ପୃଥ୍ୱୀରାଜ ଚୌହାନ କହିଛନ୍ତି ଶୁକ୍ରବାର ହିଁ ଶିବସେନାକୁ ସମର୍ଥନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ।

ହେଲେ ଏବେ ବି ଏହି ୩ ଦଳ ମଧ୍ୟରେ କେଁ ରହିଛି। ଆଜି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲାସାହେବ ଥୋରାଟ କହିଛନ୍ତି, “ଆସନ୍ତା ୫ ବର୍ଷ ପାଇଁ କଂଗ୍ରେସ-ଏନ୍‌ସିପି ଓ ଶିବସେନା ସରକାର ଚଳାଇ ପାରିବେ କି ନାହିଁ, ସେ ସମ୍ପର୍କରେ ଆହୁରି ଆଲୋଚନା କରିବାର ଅଛି।

୩ ଦଳ ମଧ୍ୟରେ ଏମିତି କିଛି ପଏଣ୍ଟ ରହିଛି, ଯାହା ମେଣ୍ଟ ପୂର୍ବରୁ ସମାଧାନ ହେବା ଦରକାର। ତେଣୁ ଏବେ ବି ମେଣ୍ଟ ସରକାର ନେଇ ଆଲୋଚନା ଜାରି ରହିଛି। ଆମେ ଆଜି ମୁମ୍ବାଇରେ ପୁଣି ଏ ସମ୍ପର୍କରେ ଆଲୋଚନା କରିବୁ।” ଶିବସେନା ହିନ୍ଦୁତ୍ୱବାଦ ରାଜନୀତି କରୁଥିବାରୁ ଏହି ଦଳ ସହ ହାତ ମିଳାଇବା କଂଗ୍ରେସ ଓ ଏନ୍‌ସିପି ପାଇଁ ବୁମେରାଂ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। ତେଣୁ ଏହି ସମସ୍ୟାର ସମାଧାନ ହିଁ ଆଲୋଚନାର ମୂଳ ଏଜେଣ୍ଡା ରହିଛି।

ଆଜି ମହାରାଷ୍ଟ୍ର ରାଜନୀତିକ ସ୍ଥିତି ଉପରେ ଆଲୋଚନା ପାଇଁ କଂଗ୍ରେସ ୱାର୍କିଂ କମିଟି ବୈଠକ ବସିଥିଲା। ସୋନିଆ ଗାନ୍ଧିଙ୍କ ବାସଭବନରେ ବସିଥିବା ଏହି ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା କେକେ ଭେନୁଗୋପାଲ କହିଛନ୍ତି, “ମହାରାଷ୍ଟ୍ରରେ ସରକାର ଗଠନ ନିଷ୍ପତ୍ତି ଉପରେ କଂଗ୍ରେସ ଆସନ୍ତାକାଲି ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେବ।” ଅର୍ଥାତ ଏବେ ବି କଂଗ୍ରେସ ଓ ଏନ୍‌ସିପି ମହାରାଷ୍ଟ୍ରରେ ଶିବସେନା ସହ ମିଶି ସରକାର ଗଠନ କରିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ଡିସେମ୍ବର ୧ ପୂର୍ବରୁ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବ। ୩ ଦଳ ମିଳିତ ଭାବେ ମୁମ୍ବାଇରେ ବୈଠକ କରିବେ। ଶିବସେନା ସର୍ବଦା ଧର୍ମନିରପେକ୍ଷରେ ବିଶ୍ୱାସ କରେ। ଦେଶ ଧର୍ମନିରପେକ୍ଷ ପାଇଁ ଚାଲିଛି। ଚଳିତ ସପ୍ତାହରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟରେ କୌଣସି ବୈଠକ ହେବାର ନାହିଁ। ତେବେ ଆସନ୍ତାକାଲି ସୁଦ୍ଧା ସରକାର ଗଠନ ଚିତ୍ର ସ୍ପଷ୍ଟ ହୋଇଯିବ।”

ଅନ୍ୟପକ୍ଷରେ ଶିବସେନା ଆଗରେ ଏନସିପି କଣ୍ଟା ହୋଇ ଛିଡ଼ା ହେବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଶିବସେନା ଠାରୁ ଏନ୍‌ସିପି ମାତ୍ର ୨ଟି ଆସନ କମ ପାଇଛି। ବିଜେପି ସହ ଶିବସେନା ଯେଉଁ ଭଳି ମୁଖ୍ୟମନ୍ତ୍ରୀ ପଦକୁ ଅଦଳ ବଦଳ କରିବାକୁ କହୁଥିଲା ଏବେ ଏନ୍‌ସିପି ସମାନ ଦାବି କରିବାର ସମ୍ଭାବନା ରହିଛି। ତେଣୁ ଶିବସେନା ଏହି ଦାବିକୁ କେତେଦୂର ଗ୍ରହଣ କରିବ, ତା’ ଉପରେ ସମସ୍ତଙ୍କ ନଜର। ଆସନ୍ତାକାଲି ସୁଦ୍ଧା କଂଗ୍ରେସ-ଏନ୍‌ସିପି ଓ ଶିବସେନା ମିଳିତ ଭାବେ ଏହି ସମସ୍ୟା ଉପରେ ଆଲୋଚନା କରିବେ। ସେହିପରି ବିଭାଗ ଓ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବି ଆଲୋଚନା ହେବ।

Related story