ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସର ବଡ଼ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ କ୍ଷମତା ଦଖଲ ପାଇଁ ଆଜି କଂଗ୍ରେସ ତାର ଗୋଟି ଚାଳନା କରିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି। ଏହି ଘୋଷଣା ପତ୍ରରେ ଏକାଧିକ ଲୋଭନୀୟ ଯୋଜନା ସମ୍ପର୍କରେ ପ୍ରତିଶ୍ରୁତି ଦିଆଯାଇଛି। ଗରିବୀଠାରୁ ଆରମ୍ଭ କରି ନିଯୁକ୍ତି ଏବଂ ଚାଷୀ ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ସମ୍ପର୍କରେ କଂଗ୍ରେସ ଦେଶବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି। ଏହାବାଦ୍‌ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଉଦ୍ୟୋଗୀ […]

r

Hemant Lenka
  • Published: Tuesday, 02 April 2019
  • , Updated: 02 April 2019, 04:01 PM IST

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ କ୍ଷମତା ଦଖଲ ପାଇଁ ଆଜି କଂଗ୍ରେସ ତାର ଗୋଟି ଚାଳନା କରିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି।

ଏହି ଘୋଷଣା ପତ୍ରରେ ଏକାଧିକ ଲୋଭନୀୟ ଯୋଜନା ସମ୍ପର୍କରେ ପ୍ରତିଶ୍ରୁତି ଦିଆଯାଇଛି। ଗରିବୀଠାରୁ ଆରମ୍ଭ କରି ନିଯୁକ୍ତି ଏବଂ ଚାଷୀ ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ସମ୍ପର୍କରେ କଂଗ୍ରେସ ଦେଶବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି। ଏହାବାଦ୍‌ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଉଦ୍ୟୋଗୀ ମାନଙ୍କ ପାଇଁ କଂଗ୍ରେସ ତା’ର ଘୋଷଣା ପତ୍ରରେ ଅନେକ ପ୍ରତିଶ୍ରୁତି ଦେଇଛି।

କଂଗ୍ରେସ ଗରିବଙ୍କ ପାଇଁ 'ନ୍ୟାୟ' ଯୋଜନା ପ୍ରଣୟନ କରିବ। ଏହାଦ୍ୱାରା ଦେଶର ୨୦% ସବୁଠାରୁ ଗରିବ ପରିବାରଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ପାଇବେ। ଏହି ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଯିବ। ସେହିପରି ଗ୍ରାମପଞ୍ଚାୟତ ସ୍ତରରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଓ ଯୁବ ଉଦ୍ୟୋଗୀମାନଙ୍କୁ ବ୍ୟବସାୟ ଆରମ୍ଭର ୩ ବର୍ଷ ଯାଏ କାହାଠାରୁ ଅନୁମତି ନେବାର ଆବଶ୍ୟକତା ରହିବ ନାହିଁ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି।

ସେହିପରି ଏମଜିନରେଗା ଅଧିନରେ କଂଗ୍ରେସ କ୍ଷମତାକୁ ଫେରିଲେ ୧୦୦ଟି କାର୍ଯ୍ୟ ଦିବସକୁ ବଢ଼ାଇ ୧୫୦ ଦିନ କରାଯିବ। ଚାଷୀମାନେ ଋଣ ସୁଝି ନ ପାରିଲେ ଏହାକୁ ଅପରାଧିକ ମାମଲା ବଦଳରେ ସିଭିଲ୍‌ ଅଫେନ୍ସ ଭାବେ ବିଚାର କରାଯିବ। କଂଗ୍ରେସ କ୍ଷମତାକୁ ଆସିଲେ ଜିଡିପିର ୬% ଅର୍ଥକୁ ଶିକ୍ଷା କ୍ଷେତ୍ରରେ ନିବେଶ କରାଯିବ। ଗରିବ ଲୋକମାନେ ସରକାରୀ ହସ୍ପିଟାଲ୍‌ରେ ଯେମିତି ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ, ସେ ଦିଗରେ କଂଗ୍ରେସ କ୍ଷମତାକୁ ଆସିଲେ ବ୍ୟବସ୍ଥା କରିବ।

ସେହିପରି କଂଗ୍ରେସ କ୍ଷମତାକୁ ଆସିଲେ ଆପ୍ସା ଆଇନ୍‌ରେ ସଂଶୋଧନ କରିବ। ବିଦ୍ରୋହୀ ସକ୍ରିୟ ଥିବା ଅଞ୍ଚଳରେ ଭାରତୀୟ ସେନାକୁ ଏହି ଆଇନ୍‌ ଅନୁସାରେ ସ୍ୱତନ୍ତ୍ର କ୍ଷମତା ଦିଆଯିବ। ସେନାକୁ କ୍ଷମତା ଦେବା ବେଳେ ମାନବାଧିକାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ଆଇନ୍‌ରେ ମଧ୍ୟ କଂଗ୍ରେସ କ୍ଷମତାକୁ ଆସିଲେ ଏକାଧିକ ପରିବର୍ତ୍ତନ କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ବର୍ତ୍ତମାନ ଜମ୍ମୁ-କଶ୍ମୀର, ନାଗାଲ୍ୟାଣ୍ଡ, ମଣିପୁର ଓ ଉତ୍ତର ଭାରତର କିଛି ଅଂଶରେ ଆପ୍ସା ଆଇନ୍‌ ଲାଗୁ କରାଯାଉଛି।

କଂଗ୍ରେସ କ୍ଷମତାକୁ ଆସିଲେ ଦେଶଦ୍ରୋହ ସଂକ୍ରାନ୍ତ ଆଇନ୍‌ ଉଚ୍ଛେଦ କରିବ। ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୨୪ଏ(ଦେଶଦ୍ରୋହ)କୁ ଉଚ୍ଛେଦ କରାଯିବ। ଏହି ଧାରାର ଅପବ୍ୟବହାର କରାଯାଉଥିବାରୁ କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ହଟାଇବ ବୋଲି କହିଛି।

ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବିଭିନ୍ନ ରାଜ୍ୟର କଂଗ୍ରେସ ପଦାଧିକାରୀଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କରାଯାଇଛି।

Related story