ଭୋପାଳ: ସ୍କୁଲର ଶୌଚାଳୟରେ ଯୁବକଙ୍କ ଏକାନ୍ତବାସ। ଶୌଚାଳୟରେ ରହିବା ସହିତ ଖାଉଥିବାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ମଧ୍ୟପ୍ରଦେଶ ଗୁନା ଜିଲ୍ଲାର ଦେବିପୁରା ଗାଁରେ ଥିବା ସରକାରୀ ସ୍କୁଲ (ଏକାନ୍ତବାସ କେନ୍ଦ୍ର)ରେ ଏଭଳି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ରବିବାର ଜିଲ୍ଲା ସ୍ୱାସ୍ଥ୍ୟବିଭାଗର ଏକ ଟିମ୍ ଏକାନ୍ତବାସର ଏଭଳି ଚିତ୍ର ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିଛି। ଶନିବାର ରାତିରେ ରାଜଗଡ ଜିଲ୍ଲାରୁ ଯୁବକ ଜଣଙ୍କ ତାଙ୍କର ପରିବାର (ସ୍ତ୍ରୀ ଓ ଦୁଇ ଛୁଆ) ଲୋକଙ୍କୁ ନେଇ ଚାଲି ଆସିଥିଲେ। ଏହାପରେ ତାଙ୍କୁ ଗୁନାର ଦେବିପୁରା ଗାଁରେ ଏକାନ୍ତବାସରେ ରହିବାକୁ କୁହାଯାଇଥିଲା।
ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ରାଜ୍ୟରେ ବିରୋଧୀ ଦଳ କଂଗ୍ରେସ ତା’ର ପୂର୍ବତନ ନେତା ତଥା ବର୍ତ୍ତାମାନର ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏ ନେଇ ଟାର୍ଗେଟ କରିଛି। ସିନ୍ଧିଆ କଂଗ୍ରେସରେ ଥିବାବେଳେ ଲୋକଙ୍କ ସମସ୍ୟା ନେଇ ପ୍ରତି କଥାରେ ରାସ୍ତାକୁ ଚାଲିଆସିବାକୁ ଧମକ ଦେଉଥିଲେ। ଏବେ ସେ କେଉଁଠି ବୋଲି କଂଗ୍ରେସ ପ୍ରଶ୍ନ କରିଛି।
ରବିବାର ସକାଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଦେବିପୁରା ସରକାରୀ ସ୍କୁଲକୁ ଯାଇଥିଲା ଏକାନ୍ତବାସରେ ଥିବା ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖିବାକୁ। ଏହି ସମୟରେ ଯୁବକ ଜଣଙ୍କ ଶୌଚାଳୟରେ ରହି ଖାଉଥିବାର ଚିତ୍ର ଦେଖିବାକୁ ପାଇଥିଲେ। ହେଲେ ଯୁବକଙ୍କ ସ୍ତ୍ରୀ ଓ ଦୁଇ ଛୁଆ ସ୍କୁଲ ଘରେ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଯୁବକ ଶୌଚାଳୟରେ ରହିଥିବାର ଫଟୋ ଉଠାଇ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଜିଲ୍ଲା ପ୍ରଶାସନକୁ ପଠାଇଥିଲା। ଏହାପରେ ଫଟୋ ଭାଇରାଲ ହୋଇଥିଲା।
ତେବେ ଜିଲ୍ଲା ପ୍ରଶାସନ ଏ ନେଇ ପ୍ରତିକ୍ରିୟା ରଖିଛି। ମଦ ପିଇଥିବାରୁ ଯୁବକ ଜଣଙ୍କ ସ୍ତ୍ରୀ ସହିତ ଝଗଡ଼ା କରିଥିଲେ। ଏହାପରେ ବଚସା ହେବାରୁ ଯୁବକ ଜଣଙ୍କ ଶୌଚାଳୟରେ ଯାଇ ଏକୁଟିଆ ରହିଥିଲେ। ହେଲେ ଯୁବକଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଏକାନ୍ତବାସ ଗୃହରେ ଠିକ୍ ଭାବରେ ରହିଛନ୍ତି ବୋଲି ପ୍ରଶାସନ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।