ନୂଆଦିଲ୍ଲୀ: ବେଶ୍ କିଛି ମାସର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ସନ୍ଧ୍ୟାରେ ଘୋଷିତ ହେବ ନୂଆ କଂଗ୍ରେସ ମୁଖ୍ୟଙ୍କ ନାମ। ଆଜି ଏନେଇ ବୈଠକ ହୋଇଥିଲା। ଏଥିରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଯୋଗ ଦେଇଥିଲେ ହେଁ, ନୂଆ ମୁଖ୍ୟ ବଛାହେବା କ୍ଷେତ୍ରରେ ସେମାନଙ୍କର କୌଣସି ଭୂମିକା ରହିବ ନାହିଁ ଦର୍ଶାଇ ଏଥିରୁ ଓହରିଯାଇଥିଲେ। ଏହାପରେ ନିଷ୍ପତ୍ତି କରାଯାଇଛି ସେମାନେ ଆଜି ୮.୩୦ରେ ପୁଣି ବୈଠକ କରି ରାତି ୯ଟା ସୁଦ୍ଧା ଦଳର ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିବେ।
ଏହା ପୂର୍ବରୁ କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତିକର୍ତ୍ତା ସିଡବ୍ଲୁସି ଦେଶର ୫ଟି ଜୋନ୍ରୁ ୫ଟି ଗ୍ରୁପ୍ ଗଠନ କରିଥିଲା। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିବା ଅନୁଯାୟୀ, ଏହି ୫ଟି କମିଟି ଆଜି ସେମାନଙ୍କ ରିପୋର୍ଟ ଦାଖଲ କରିବେ। ଏହାପରେ ସନ୍ଧ୍ୟାରେ ସିଡବ୍ଲୁସି ବୈଠକ ହେବ।
ଆଜିର ସିଡବ୍ଲୁସି ବୈଠକ ଅଧାରୁ ବାହାରିଯିବା ପରେ ସୋନିଆ କହିଥିଲେ, ନୂତନ ମୁଖ୍ୟଙ୍କୁ ବାଛିବା ପ୍ରକ୍ରିୟା ଚାଲିଛି। ମୁଁ ଏବଂ ରାହୁଲ ଏଥିରେ ଭାଗ ନେବୁନାହିଁ। ଆଜି ମଧ୍ୟ ରାହୁଲ ଗାନ୍ଧିଙ୍କୁ ନିଜ ଇସ୍ତଫା ନିଷ୍ପତ୍ତିରୁ ଓହରିବାକୁ କୁହାଯାଇଥିଲା। କିନ୍ତୁ ସେ ତାଙ୍କ ଜିଦରେ ଅଟଳ ରହିଛନ୍ତି। ସୂଚନାଯୋଗ୍ୟ, ମେ ମାସରେ କଂଗ୍ରେସ ମୁଖ୍ୟ ପଦରୁ ରାହୁଲ ଇସ୍ତଫା ଦେଇଥିଲେ। ସୂର୍ଯ୍ୟେୱାଲା କହିଛନ୍ତି, ରାହୁଲ ଗାନ୍ଧିଙ୍କ ଉପରେ ଆସ୍ଥା ପ୍ରକଟ କରୁଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ଇସ୍ତଫା ପତ୍ର ପ୍ରତ୍ୟାହାର କରିବେ ନାହିଁ ବୋଲି ସେ କହିଛନ୍ତି।
ନୂଆ ସଭାପତି ବାଛିବା ପ୍ରକ୍ରିୟାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମନମୋହନ ସିଂହ ଏବଂ ଅମ୍ବିକା ସୋନି ଯଥାକ୍ରମେ ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଉତ୍ତର ପୂର୍ବ ଅଞ୍ଚଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସୋନିଆ ଓ ରାହୁଲ ଏହୋ ପ୍ରକ୍ରିୟାରେ ସାମିଲ ହେବାକୁ ମନା କରିଦେଇଛନ୍ତି।