କରୋନା ଭାଇରସ: ମୃତ୍ୟୁସଂଖ୍ୟା ୧୩୨, ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କଲା ଆମେରିକା

ଉହାନ୍: ଚାଇନାରେ ଦେଖାଦେଇଥିବା ‘କରୋନା ଭାଇରସ୍’ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ବୁଧବାର କରୋନା ଭାଇରସରେ ଆକ୍ରାନ୍ତ ହୋଇ ଆଉ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଚାଇନାରେ ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁରେ ୧୩୨ ଜଣଙ୍କ ଜୀବନ ଯାଇ ସାରିଲାଣି। ସେହିପରି ଆଜି ୧୪୫୯ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଛୁଇଁଛି। ସ୍ଥିତି ବିଗୁଡ଼ିଥିବା ଦେଖି ଆମେରିକା ସରକାର […]

ng

Hemant Lenka
  • Published: Wednesday, 29 January 2020
  • , Updated: 29 January 2020, 05:12 PM IST

ଉହାନ୍: ଚାଇନାରେ ଦେଖାଦେଇଥିବା ‘କରୋନା ଭାଇରସ୍’ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ବୁଧବାର କରୋନା ଭାଇରସରେ ଆକ୍ରାନ୍ତ ହୋଇ ଆଉ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଚାଇନାରେ ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁରେ ୧୩୨ ଜଣଙ୍କ ଜୀବନ ଯାଇ ସାରିଲାଣି। ସେହିପରି ଆଜି ୧୪୫୯ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଛୁଇଁଛି।

ସ୍ଥିତି ବିଗୁଡ଼ିଥିବା ଦେଖି ଆମେରିକା ସରକାର ତାଙ୍କ ଦେଶର ଲୋକଙ୍କୁ ଚାଇନାରୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି ୧ ହଜାରରୁ ଅଧିକ ଆମେରିକା ନାଗରିକଙ୍କୁ ପ୍ରଶାସନ ସ୍ୱଦେଶ ଫେରାଇ ନେଇଥିବା ଜଣାପଡ଼ିଛି। ବିଶେଷ କରି ଚାଇନାର ଉହାନ୍‌ରୁ ଆମେରିକା ପ୍ରଥମେ ନାଗରିକଙ୍କୁ ଫେରାଇ ନେବାରେ ଲାଗିଛି।

ଭାରତ ମଧ୍ୟ ଏହାର ନାଗରିକଙ୍କୁ ହୁବେଇ ପ୍ରଦେଶରୁ ଫେରାଇଆଣିବାକୁ ପ୍ରୟାସ କରୁଛି। ହୁବେଇର ରାଜଧାନୀ ଉହାନ୍‌ ଏହି ଭାଇରସ୍‌ର କେନ୍ଦ୍ରସ୍ଥଳ ବୋଲି କୁହାଯାଉଥିବାବେଳେ ଏଠାରେ ଅଧିକ ସଂଖ୍ୟାରେ ଭାରତୀୟ ବ୍ୟବସାୟୀ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି।

ଚାଇନାର ନ୍ୟାଶନାଲ ହେଲଥ ମିଶନର ସୂଚନା ଅନୁଯାୟୀ, ବୁଧବାର ଉହାନରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୮୦ ଜଣ ଏଠାରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଚାଇନାରେ ପ୍ରାଣ ହରାଇଥିବା ୧୩୨ ଜଣଙ୍କ ମଧ୍ୟରୁ କେବଳ ଉହାନରେ ହିଁ ୧୨୫ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫୪ରେ ପହଞ୍ଚିଛି। ଫେସବୁକ, ଆପଲ ଭଳି କମ୍ପାନୀଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଅଯଥା ଚାଇନାରେ ବୁଲାବୁଲି ନ କରି ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଲିବାବା ଓ ଟିସେଣ୍ଟ ମଧ୍ୟ କର୍ମକର୍ତ୍ତାଙ୍କ ପାଇଁ ସମାନ ନିର୍ଦ୍ଦେଶ ଦେଇଛନ୍ତି। ଚାଇନାକୁ ଯାଉଥିବା ଏକାଧିକ ବିମାନ ମଧ୍ୟ ସେମାନଙ୍କ ଉଡ଼ାଣକୁ ବାତିଲ କରିଛନ୍ତି। ସେଠାକୁ ଯିବାକୁ ଥିବା ଲୋକଙ୍କ ଟିକେଟ ରଦ୍ଦ କରାଯାଇ ଟଙ୍କା ଫେରସ୍ତ କରାଯାଇଛି।

ସୋମବାର ଜର୍ମାନୀ, କ୍ୟାନାଡା ଏବଂ ଶ୍ରୀଲଙ୍କାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦ୍‌ବ୍ୟତୀତ ମାକାଓ, ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ ଏବଂ ଫ୍ରାନ୍ସରେ ଏହି ଭୂତାଣୁ ଚିହ୍ନଟ କରାଯାଇସାରିଲାଣି। ତେବେ ଏଯାଏ ମୃତ୍ୟୁଖବର କେବଳ ଚାଇନାରୁ ହିଁ ଆସୁଛି।

Related story