କୋଲକାତା: ଜନ୍ମଦିନର ତିନି ଦିନ ପୂର୍ବରୁ ପରଲୋକରେ ବାମପନ୍ଥୀ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତା। ୮୩ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଛି। ଗୁରୁଦାସଙ୍କ ହାର୍ଟ ସାଙ୍ଗକୁ ତାଙ୍କର କିଡନୀରେ ସମସ୍ୟା ଥିଲା। ସେ ୩ ନଭେମ୍ୱର ୧୯୩୬ରେ ଜନ୍ମ ଗ୍ରହଣ କରିଥିଲେ।
ନିଜର ନିର୍ଭୀକ ଚିନ୍ତାଧାରା ପାଇଁ ସେ ପରିଚିତ ଥିଲେ। ମନମୋହନ ସିଂହଙ୍କ ଦ୍ୱିତୀୟ ସରକାର ବେଳେ ୨୦୧୨-୧୩ ପାଇଁ ପ୍ରଣବ ମୂଖାର୍ଜୀ ଅର୍ଥମନ୍ତ୍ରୀ ଭାବରେ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ। ଏହି ବଜେଟକୁ ଗୁରୁଦାସ ନାପସନ୍ଦ କରିଥିଲେ ଏବଂ ସଂସଦରେ ସର୍ବସମ୍ମୁଖରେ କହିଥିଲେ ଯେଉଁଭଳି ଭାବରେ ବଜେଟ ପ୍ରସ୍ତୁତ ହୋଇଛି ତାହାକୁ ଅର୍ଥମନ୍ତ୍ରଣାଳୟର ଯେକୌଣସି କିରାଣୀ ମଧ୍ୟ ପ୍ରସ୍ତୁତ କରିପାରିବେ। ଏଥିପାଇଁ ପ୍ରଣବ ମୂଖାର୍ଜୀଙ୍କର ଆବଶ୍ୟକତା ନାହିଁ। ସବୁଠୁ ବଡ଼ କଥା ହେଲା ପ୍ରଣବ ମୂଖାର୍ଜୀଙ୍କର ତାହା ଅନ୍ତିମ ବଜେଟ ଥିଲେ। ଏହାପରେ ସେ ଦେଶର ରାଷ୍ଟ୍ରପତି ହୋଇଥିଲେ।
ଗୁରୁଦାସ ମୋଟ ୫ ଥର ସାଂସଦ ହୋଇଥିଲେ। ୩ ଥର ରାଜ୍ୟସଭା ଓ ୨ ଥର ଲୋକସଭାକୁ ସେ ନିର୍ବାଚିତ ହୋଇଥିଲେ। ୧୯୮୫ରେ ପ୍ରଥମ ଥର ପାଇଁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୧୯୮୮ ଓ ୧୯୯୪ରେ ଗୁରୁଦାସ ଦାସଗୁପ୍ତା ତୃତୀୟ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୪ ଓ ୨୦୦୯ରେ କ୍ରମାଗତ ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ଲୋକସଭାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଂସଦୀୟ ଦଳର ନେତା ଥିଲେ।