ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରେ ଘୂର୍ଣ୍ଣିଝଡ଼ ଏବେ ବାତ୍ୟାର ରୂପ ନେବାର ଆଶଙ୍କା ଦେଖାଦେଇଛି। ଏହି ବାତ୍ୟାର ନାଁ ରଖାଯାଇଛି ‘ଓଖି’। ଏହାର ପ୍ରଭାବରେ ଲାକ୍ଷାଦୀପ, ତାମିଲନାଡୁ, କେରଳରେ ବର୍ଷା ଆରମ୍ଭ ହୋଇଗଲାଣି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ବଢ଼ିବ। କେତେକ ସ୍ଥାନରେ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ବର୍ଷା ସହିତ ଜୋରରେ ପବନ ବହିବାର ଆଶଙ୍କା ମଧ୍ୟ ଅଛି। ତେଣୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ବାତ୍ୟା ଓଖି ଲାକ୍ଷାଦ୍ୱୀପ ଦେଇ ଅତିକ୍ରମ କରିବାର ସମ୍ଭାବନା ହେବ। କେରଳ ତିରୁବନନ୍ତପୁରମ ଓ କୋଲମ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ କରାଯାଇଛି। ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଖସିବାର ରିପୋର୍ଟ ମଧ୍ୟ ଆସିଥିବା ବେଳେ ଉଦ୍ଧାର ଓ ରିଲିଫ ପାଇଁ କନ୍ୟାକୁମାରୀରେ ୪ଟି NDRF ଟିମ୍ ପହଞ୍ଚିଛି। ଏହାର ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ତାମିଲନାଡୁରେ ୪ଜଣଙ୍କର ମୃତ୍ୟୁ ହେଲାଣି।