ନୂଆଦିଲ୍ଲୀ: ଶସ୍ତା ହୋଇପାରେ ପ୍ଲାଷ୍ଟିକ ଉତ୍ପାଦ ଓ ହାତ ତିଆରି ଆସବାବପତ୍ର। ସେହିଭଳି ସାମ୍ପୁ ଭଳି ଆଉ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବି ଶସ୍ତା ହୋଇପାରେ। ଆସନ୍ତା ୧୦ ତାରିଖରେ ବସିବାକୁ ଥିବା ଜିଏସଟି କାଉନସିଲର ପରବର୍ତ୍ତୀ ବୈଠକରେ ଏସବୁ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ। ଏହାସହ ବୈଠକରେ ଜିଏସଟି ରିଟର୍ଣ୍ଣ ଫାଇଲିଂର ସୂତ୍ର ମଧ୍ୟ ସରଳ କରିବା ଉପରେ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି।
ବିଶେଷକରି ୨୮ ପ୍ରତିଶତ ଉପରେ ରହିଥିବା କିଛି ବସ୍ତୁ ଉପରୁ ସରକାର ଶୁଳ୍କ କମାଇବାକୁ ଚିନ୍ତା କରୁଛନ୍ତି। ୨୮ରୁ ୧୮ ପ୍ରତିଶତକୁ କମିବାକୁ ଥିବା ଏସବୁ ସାମଗ୍ରୀ ମଧ୍ୟରେ ଇଲେଟ୍ରିକ୍ ସ୍ୱିଚ୍, ପ୍ଲାଷ୍ଟିକ୍ ପାଇପ, ସାଓ୍ୱାର ବାଥ୍, ସିଙ୍କ୍, ଓ୍ୱାସ ବେସିନ, ପ୍ୟାନ୍, ସିଟ୍ ଓ କଭର ଆଦି ସାମିଲ ହୋଇପାରେ।
ଗତ ଜୁଲାଇ ପହିଲାରୁ ସାରା ଦେଶରେ ଦ୍ରବ୍ୟ ଓ ସେବା କର ( ଜିଏସଟି) ଲାଗୁ ହୋଇଛି। ଜିଏସଟି ଲାଗୁ ପରେ ଜିଏସଟି କାଉନସିଲ ପକ୍ଷରୁ ପ୍ରତି ମାସରେ ବୈଠକ ବସୁଛି।