ନୂଆଦିଲ୍ଲୀ: ପୂର୍ବତନ ଜଷ୍ଟିସ ମାର୍କଣ୍ଡେୟ କାଟଜୁ ଆଜି ଡାଲି ଓ ପିଆଜ ଦର ନେଇ ପୁଣି ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। କାଟଜୁ ଟ୍ୱିଟ କରି କହିଛନ୍ତି ଜରୁରୀ ଜିନିଷ ପତ୍ର ଦର ଯେପରି ବୃଦ୍ଧି ପାଉଛି ଲୋକଙ୍କୁ ଗୋବର ଖାଇବା ଆରମ୍ଭ କରିଦେବା ଦରକାର। ସେ ଆହୁରି ମଧ୍ୟ କହିଛନ୍ତି, ଗାଈ ମାଂସ ଖାଇବା ଉପରେ କଟକଣା ରହିଛି । ହେଲେ ଗୋବର ଖାଇବା ଉପରେ ନାହିଁ । ତେଣୁ ଆଶା କରୁଛି ଯଦି ମୁଁ ଗୋବର ଖାଇବା ଆରମ୍ଭ କରିବି ତେବେ ମୋତେ କେହି ପିଟି ପିଟି ହତ୍ୟା କରିବେ ନାହିଁ ବୋଲି ସେ କହିଛନ୍ତି।
ଦାଦ୍ରି ଘଟଣାକୁ ନେଇ କାଟଜୁ ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ। ସେ କହିଥିଲେ ମୁଁ ଗୋମାଂସ ଖାଉଛି ଓ ଆଗକୁ ମଧ୍ୟ ଖାଇବି।ଦେଖାଯାଉ ମୋତେ କିଏ ଅଟକାଉଛି । ଦାଦ୍ରି ଭଳି ଘଟଣା ରାଜନୈତିକ ଲୋକଙ୍କ ଯୋଗୁଁ ହେଉଛି । ଏପରି ସ୍ଥିତି ଲାଗି ରହିଲେ ଦେଶରେ ଆସନ୍ତାଦିନରେ ବିଦ୍ରୋହ ଦେଖାଦେବ । ଏହାସହ ଗାଈକୁ ମାତା କୁହାଯିବା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଗାଈ ଏକ ପଶୁ ଏହା ମଣିଷର ମାତା କିପରି ହେବ।