ନୂଆଦିଲ୍ଲୀ: ଡୋକଲାମକୁ ନେଇ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇ ରହିଛନ୍ତି। ଚୀନ ଗଣମାଧ୍ୟମଗୁଡ଼ିକରେ ବାରମ୍ବାର ଭାରତକୁ ଯୁଦ୍ଧ ଧମକ ଦିଆଯାଉଛି। ଏଭଳି ଏକ ସମୟରେ ଯୁଦ୍ଧ ପ୍ରସ୍ତୁତି ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ମାଗିଛି।
୨୦୧୭ରେ କେନ୍ଦ୍ର ସରକାର ୨,୭୪,୧୧୩ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ କରିଥିଲେ। ଏହା ଦେଶର ମୋଟ ଜିଡିପିର ୧.୬୨ ପ୍ରତିଶତ ଥିଲା।
ନିକଟରେ ସିଏଜି ରିପୋର୍ଟରୁ ଜଣାପଡ଼ିଥିଲା ଯେ ସେନା ପାଖରେ ମାତ୍ର ୧୦ ଦିନ ଯୁଦ୍ଧ କରିବା ପାଇଁ ଗୋଳାବାରୁଦ ମହଜୁଦ ରହିଛି। ମୋଟ ୧୫୨ ପ୍ରକାର ଗୋଳାବାରୁଦ ମଧ୍ୟରୁ ମାତ୍ର ୨୦% ଅର୍ଥାତ ୩୧ଟିର ଜମା ସନ୍ତୋଷଜନକ ରହିଛି। ଅନ୍ୟ ପକ୍ଷରେ ୬୧ ପ୍ରକାରର ଗୋଳାବାରୁଦର ଷ୍ଟକ୍ ଚିନ୍ତାଜନକ ରହିଛି। ଭାରତ ପାଖରେ ଅତିକମ୍ରେ ୨୦ ଦିନର ଯୁଦ୍ଧ ପାଇଁ ଗୋଳାବାରୁଦ ମହଜୁଦ ରହିବା ଆବଶ୍ୟକ।