ଦିଲ୍ଲୀ: ୨୦ ଦିନରେ ୫ ହଜାର ଶୋଭାଯାତ୍ରା କରିବ ବିଜେପି

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ୫ ହଜାର ଛୋଟ ଛୋଟ ଶୋଭାଯାତ୍ରା ଆୟୋଜନ କରିବ ବୋଲି ସୂଚନା ମିଳିଛି। ଗତଥର ବିପୁଳ ଆସନରେ ଜିତିଥିବା ଆମ୍‌ ଆଦମୀ ପାର୍ଟିକୁ ଚେକ୍‌ ଦେବା ପାଇଁ ବିଜେପି ଏଭଳି ଆୟୋଜନ କରିବ। ଏଭଳି ଆଖିଦୃଶିଆ ଶୋଭାଯାତ୍ରା ଟାର୍ଗେଟ୍‌ ହାସଲ କରିବା ପାଇଁ ବିଜେପି ପ୍ରତିଦିନ ପ୍ରତି ନିର୍ବାଚନମଣ୍ଡଳୀରେ ୩ରୁ ୪ଟି ରାଲି କରିବାକୁ ହେବ। ଅର୍ଥାତ ୭୦ ନିର୍ବାଚନମଣ୍ଡଳୀରେ ୨୦ ଦିନରେ […]

BJP

Subrat Kumar Nayak
  • Published: Saturday, 18 January 2020
  • , Updated: 18 January 2020, 10:08 PM IST

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ୫ ହଜାର ଛୋଟ ଛୋଟ ଶୋଭାଯାତ୍ରା ଆୟୋଜନ କରିବ ବୋଲି ସୂଚନା ମିଳିଛି। ଗତଥର ବିପୁଳ ଆସନରେ ଜିତିଥିବା ଆମ୍‌ ଆଦମୀ ପାର୍ଟିକୁ ଚେକ୍‌ ଦେବା ପାଇଁ ବିଜେପି ଏଭଳି ଆୟୋଜନ କରିବ।

ଏଭଳି ଆଖିଦୃଶିଆ ଶୋଭାଯାତ୍ରା ଟାର୍ଗେଟ୍‌ ହାସଲ କରିବା ପାଇଁ ବିଜେପି ପ୍ରତିଦିନ ପ୍ରତି ନିର୍ବାଚନମଣ୍ଡଳୀରେ ୩ରୁ ୪ଟି ରାଲି କରିବାକୁ ହେବ। ଅର୍ଥାତ ୭୦ ନିର୍ବାଚନମଣ୍ଡଳୀରେ ୨୦ ଦିନରେ ଦିନକୁ ୨୫୦ ଶୋଭାଯାତ୍ରା କରିବାକୁ ହେବ। ପ୍ରତି ଶୋଭାଯାତ୍ରାରେ ୨୦୦ ଜଣ ଲୋକ ଯୋଗଦେବେ। ୨୦୦ ଜଣ ଏକତ୍ରୀକରଣରେ ସିଧାସଳଖ ଯୋଗାଯୋଗ ରକ୍ଷା କରିହେବ ବୋଲି କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

କିଛି କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୦୦ ଶୀର୍ଷ ବିଜେପି ନେତା ଏଥିରେ ଯୋଗଦେବାର ଅଛି। ତେବେ କିଏ କେଉଁଦିନ କେଉଁଠି ଯୋଗଦେବେ ସେନେଇ ବର୍ତ୍ତମାନ ମଧ୍ୟ କାମ ଚାଲିଛି। ଏହି ୧୦୦ ଜଣ ନେତା ହିଁ ପ୍ରତିଦିନ ୩ରୁ ୪ଟି ରାଲିରେ ଯୋଗଦେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ଟି ଶୋଭାଯାତ୍ରାରେ ଯୋଗଦେବାକୁ ଦିଲ୍ଲୀ ବିଜେପି ଅନୁରୋଧ କରିଛି। କିନ୍ତୁ ଶେଷ ଖବର ସୁଦ୍ଧା ୩ଟି ଶୋଭାଯାତ୍ରା ପାଇଁ ସବୁଜ ସଙ୍କେତ ମିଳିଛି।

ଫେବୃଆରୀ ୮ ତାରିଖରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ପାଇଁ ଶୁକ୍ରବାର ବିଜେପି ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆପ୍‌ରୁ ଆସିଥିବା କପିଲ ମିଶ୍ରା ଏଥର ବିଜେପି ଟିକେଟ୍‌ରେ ମଡେଲ୍‌ ଟାଉନ୍‌ରୁ ଲଢ଼ିବେ। ବିଜେପି ଏଯାଏ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରାର୍ଥୀ ଦେଇନି। ଆପ୍‌ ସମସ୍ତ ୭୦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଗତ ଥର ଏହି ଦଳ ୬୭ଟି ଆସନ ପୋଛିନେଇଥିଲା।

Related story