ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏନ୍ସିଆର ଅଞ୍ଚଳରେ ବଢ଼ୁଥିବା ପ୍ରଦୂଷଣ କାରଣରୁ ବସବାସ କରୁଥିବା ନାଗରିକଙ୍କ ମଧ୍ୟରୁ ୪୦% ଚାହୁଁଛନ୍ତି ସହର ଛାଡ଼ି ଚାଲିଯିବେ। ଅନ୍ୟପକ୍ଷରେ ୧୬% ଚାହୁଁଛନ୍ତି ଏହି କିଛି ମାସ ପାଇଁ ସହର ଛାଡ଼ି ଚାଲିଯିବେ। ଏକ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ଦିଲ୍ଲୀ ଏବଂ ଏନ୍ସିଆର ଅଞ୍ଚଳର ୧୭ ହଜାର ନାଗରିକଙ୍କୁ ନେଇ କରାଯାଇଥିବା ଏହି ସର୍ଭେରୁ ଜଣାପଡ଼ିଛି ୧୩% ଲୋକଙ୍କ ପାଖରେ ଏହି ପ୍ରଦୂଷଣ ସତ୍ତ୍ୱେ ପଡ଼ିରହିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ। ପ୍ରଦୂଷଣର ସ୍ତର ଯେତେ ବଢ଼ିଲେ ମଧ୍ୟ ସେମାନେ ରହିବାକୁ ଏକ ପ୍ରକାର ବାଧ୍ୟ।
ଲୋକାଲ ସର୍କଲସ୍ ନାମକ ଏକ ପ୍ଲାଟଫର୍ମ ଏହି ସର୍ଭେ କରିଛି। ଏଥିରୁ କୁହାଯାଇଛି, “୪୦% ନାଗାରିକ କହିଛନ୍ତି ସେମାନେ ଦିଲ୍ଲୀ ଏନ୍ସିଆର ଛାଡ଼ି ଅନ୍ୟ କେଉଁଆଡ଼େ ଚାଲିଯିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷରେ ୩୧% ନାଗରିକର ଚାହୁଁଛନ୍ତି ସେମାନେ ଏହି ପ୍ରଦୂଷଣର ମୁକାବିଲା କରିବେ। ସେମାନେ ଏୟାର ପ୍ୟୁରିଫାୟର, ମାସ୍କ ଏବଂ ଗଛ ଅଦି ବ୍ୟବସ୍ଥା ଗ୍ରହଣ କରିବେ।”
ଗତ ସପ୍ତାହରେ ଏହି ବିଷାକ୍ତ ପ୍ରଦୂଷଣ କିଭଳି ଜୀବନକୁ ପ୍ରଭାବିତ କରୁଛି ପଚରାଯିବାରୁ ୧୩% ଲୋକ କହିଛନ୍ତି, ଜଣ କିମ୍ବା ଅଧିକ ଜଣ ହସ୍ପିଟାଲ ଯାଇସାରିଛନ୍ତି। ୨୯% କହିଛନ୍ତି ଜଣେ କିମ୍ବା ୨ ଜଣ ଡାକ୍ତରଙ୍କ ପରାମର୍ଶ ନେଇସାରିଛନ୍ତି। ଏଥିରେ କୁହାଯାଇଛି, ୪୪% ଲୋକ କହିଛନ୍ତି ସେମାନେ ପ୍ରଦୂଷଣ କାରଣରୁ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି, କିନ୍ତୁ ହସ୍ପିଟାଲ ବା ଡାକ୍ତରଙ୍କ ପାଖକୁ ଯାଇନାହାନ୍ତି। ମାତ୍ର ୧୪% ଲୋକ କହିଛନ୍ତି ତାଙ୍କ ସ୍ୱାସ୍ଥ୍ୟ ଉପରେ ଏହି ପ୍ରଦୂଷଣର କିଛି ପ୍ରଭାବ ପଡ଼ିନାହିଁ।
ରବିବାର ସକାଳ ସମୟରେ କିଛି ଅଞ୍ଚଳରେ ବର୍ଷା ହୋଇଥିଲେ ମଧ୍ୟ ଦିଲ୍ଲୀର ଏୟାର କ୍ୱାଲିଟି ସିଭିୟର୍ କ୍ୟାଟାଗୋରୀରେ ରହିଛି। ତୁରନ୍ତ ପବ୍ଲିକ୍ ହେଲ୍ଥ ଇମର୍ଜେନ୍ସି ଘୋଷଣା କରିବା ପାଇଁ ଶୁକ୍ରବାର ସୁପ୍ରିମ୍କୋର୍ଟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦିଲ୍ଲୀ ସରକାର ସମସ୍ତ ସ୍କୁଲ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି।