ନୂଆଦିଲ୍ଲୀ: ଚାହା-ଜଳଖିଆ ତିଆରି ନ କରିବାରୁ ସ୍ୱାମୀ ଦେଲେ ସ୍ତ୍ରୀଙ୍କୁ ଛାଡ଼ପତ୍ର। ଭାଙ୍ଗିଗଲା ୧୩ ବର୍ଷର ସର୍ମ୍ପକ। ସ୍ୱାମୀଙ୍କ ଉପରେ ସ୍ତ୍ରୀର କ୍ରୁରତା ଦର୍ଶାଇ କୋର୍ଟ ମଧ୍ୟ ଏହି ଛାଡ଼ପତ୍ର ମାମଲାକୁ ମଞ୍ଜୁରୀ ଦେଇଛନ୍ତି। ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ କଥାଟା ସତ। ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ରାଜଧାନୀ ନୂଆଦିଲ୍ଲୀରେ ଘଟିଛି।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୁରବାର ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ ଦୀପା ଶର୍ମା ଓ ଜଷ୍ଟିସ ହୀମା କୋହଲିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସ୍ୱାମୀଙ୍କ ସପକ୍ଷରେ ରାୟ ଦେଇଛନ୍ତି। ପୂର୍ବରୁ ସ୍ୱାମୀ ଜଣକ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ ତଳକୋର୍ଟରେ ଆବେଦନ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ସ୍ତ୍ରୀ ତାଙ୍କୁ ଚାହା, ଜଳଖିଆ କିମ୍ୱା ଖାଇବା ତିଆରି କରି ଦେଉନାହାନ୍ତି। ତେଣୁ ତାଙ୍କୁ ସ୍ତ୍ରୀଙ୍କ ଠାରୁ ଅଲଗା ରହିବା ପାଇଁ ଅନୁମତି ଦିଆଯାଉ। ତଳକୋର୍ଟ ମାମଲାର ଶୁଣାଣି କରି ତାଙ୍କ ସପକ୍ଷରେ ରାୟ ଦେଇଥିଲେ। କିନ୍ତୁ ତଳକୋର୍ଟଙ୍କ ରାୟକୁ ତାଙ୍କ ସ୍ତ୍ରୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ତଳକୋର୍ଟଙ୍କ ରାୟକୁ ସଂରକ୍ଷିତ ରଖିଥିଲେ।
ଏହି ମାମଲାର ଶୁଣାଣି ବେଳେ ଦୁଇଜଣିଆ ମହିଳା ଖଣ୍ଡପୀଠ କହିଥିଲେ, ଶାରିରୀକ ନିର୍ଯାତନାର ପ୍ରମାଣ ଦିଆ ଯାଇପାରିବ, କିନ୍ତୁ ମାନସିକ ନିର୍ଯାତନାର ପ୍ରମାଣ ଦେବା କଷ୍ଟକର। ସ୍ୱାମୀ କିମ୍ୱା ସ୍ତ୍ରୀଙ୍କ ମଧ୍ୟରୁ ଯଦି ଜଣକର ବ୍ୟବହାର ଅନ୍ୟ ପାଇଁ ଅସହ୍ୟ ହୁଏ କିମ୍ୱା ଅପମାନଜନକ ହୁଏ, ତା’ହେଲେ ତାହା କ୍ରୁରତା। ତା’ଛଡ଼ା ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୀର୍ଘ ୧୦ ବର୍ଷ ହେଲା ପରସ୍ପର ଠାରୁ ଅଲଗା ରହୁଛନ୍ତି। ଏବେ ସାଙ୍ଗ ହୋଇ ରହିବା ଏକରକମର କଷ୍ଟକର ବ୍ୟାପାର। ତେଣୁ ସ୍ୱାମୀଙ୍କୁ ଛାଡପତ୍ର ପାଇଁ ଅନୁମତି ଦିଆଯାଉ।