ନୂଆଦିଲ୍ଲୀ: ତିବ୍ବତରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୯ ରହିଛି। ତିବ୍ବତର ନିଙ୍ଗ୍ଚି ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହି ଅଞ୍ଚଳଟି ଭାରତର ଅରୁଣାଚଳ ପ୍ରଦେଶ ସୀମାର ନିକଟରେ ଅବସ୍ଥିତ। ଅରୁଣାଚଳ ପ୍ରଦେଶ ସୀମାରୁ ଉକ୍ତ ସ୍ଥାନଟି ମାତ୍ର ୧୫୦ କିଲୋମିଟର ଦୂରରେ ଅବସ୍ଥିତ।
ଚୀନର ସମୟ ଅନୁସାରେ ସକାଳ ୬ଟା ୩୪ ମିନିଟ୍ରେ ଏହି ଭୂକମ୍ପ ହୋଇଥିଲା। ତେବେ ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ (ୟୁଏସ୍ଜିଏସ୍) ପକ୍ଷରୁ କୁହାଯାଇଛି ଯେ ଏହି ଭୂକମ୍ପର ତୀବ୍ରତା ୬.୪ ଥିଲା। ଏହାର ପ୍ରାୟ ଦୁଇ ଘଣ୍ଟା ପରେ ୮ଟା ୩୧ରେ (ଚୀନ ସମୟ ଅନୁସାରେ) ଆଉ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫ ରହିଥିଲା। ତେବେ ଏହି ଦୁଇ ଭୂକମ୍ପ ଝଟକାରେ ଉକ୍ତ ଅଞ୍ଚଳରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।