ତୁତିକୋରିନ୍: ମାଲ୍ଡିଭ୍ସର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଅଦୀବ୍ଙ୍କୁ ତାମିଲନାଡ଼ୁରେ ଅଟକ ରଖାଯାଇଛି। ତାମିଲନାଡ଼ୁର ତୁତିକୋରିନ୍ଠାରେ ତାଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା କାରଣରୁ ତାଙ୍କୁ ଅଟକ ରଖାଯାଇଥିବା ଖବର ସରବରାହ ସଂସ୍ଥା ଏଏନ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏକ ଟଗ୍ ବୋଟ୍ର କ୍ରୁ ସଦସ୍ୟ ଭାବେ ସେ ବେଆଇନ ଢଙ୍ଗରେ ଭାରତ ପଳାଇ ଆସିଥିଲେ।
ଏନ୍ଆଇ ପକ୍ଷରୁ କୁହାଯାଇଛି, ତାମିଲନାଡ଼ୁର ତୁତିକୋରିନ୍ ବନ୍ଦର କର୍ତ୍ତୃପକ୍ଷ ମାଲ୍ଡିଭ୍ସର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଦୀବ୍ଙ୍କୁ ଅଟକ ରଖିଛନ୍ତି। ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ରିପୋର୍ଟର ସତ୍ୟତା ଜାଣିବାକୁ ପ୍ରୟାସ ଆରମ୍ଭ ହୋଇଛି।
ଚେନ୍ନାଇର ଜଣେ ସାମ୍ବାଦିକ ରାଧାକ୍ରିଷ୍ଣନ୍ ଲେଖିଛନ୍ତି, ଇବ୍ରାହିମ୍ ମହମ୍ମଦ ସୋଲି କ୍ଷମତାକୁ ଆସିବା ପରେ ଜେଲରୁ ବାହାରିଥିବା ଆଦୀବ୍ ଏକ ଛୋଟ ଜାହାଜର କ୍ରୁ ସଦସ୍ୟ ଭାବେ ଭାରତକୁ ବେଆଇନ ଭାବେ ପଶିବାର ପ୍ରୟାସ କରିଥିଲେ। ତାଙ୍କୁ ତାମିଲନାଡ଼ୁର ତୁତିକୋରିନ୍ଠାରେ ଗିରଫ କରାଯାଇଛି।