ଇସଲମାବାଦ: ପୁଣି ଅଶାନ୍ତ ହେଲା ପାକିସ୍ତାନ। ଫୁଟିଲା ଗୁଳି। ଟଳିଲେ ୪ ସୁରକ୍ଷା କର୍ମୀ। ଏକ ପୋଲିଓ ଟିକାକରଣ ଗାଡ଼ି ଉପରେ ଅଜ୍ଞାତ ବନ୍ଧୁକଧାରୀ ଆଖି ବୁଜା ଗୁଳି ଚାଳନା କରିବାରୁ ଏପରି ଅଘଟଣ ଘଟିଛି। ଏପରି ଅଭାବନୀୟ ଘଟଣା ପାକିସ୍ତାନର ଟ୍ୟାଙ୍କ ଜିଲ୍ଲାର ଗୁଲ ଇମାନ ଅଞ୍ଚଳରେ ଘଟିଛି।
ସୂଚନା ଅନୁଯାୟୀ, ଘରକୁ ଘର ବୁଲି ପିଲାଙ୍କୁ ପୋଲିଓ ଟିକା ଦେବା ନିମନ୍ତେ ସ୍ୱାସ୍ଥ୍ୟ କର୍ମୀଙ୍କର ଏକ ଟିମ୍ ଭ୍ୟାନ୍ ଯୋଗେ ପାକିସ୍ତାନର ଗୁଲ ଇମାନ ଅଞ୍ଚଳରେ ଯାଉଥିଲା। ଏହି ଗାଡ଼ିକୁ ସୁରକ୍ଷା ଦେଇ ଏକ ପୁଲିସ୍ ଭ୍ୟାନ ବି ଯାଉଥିଲା। ହେଲେ ହଠାତ୍ କିଛି ଅଜ୍ଞାତ ବନ୍ଧୁକଧାରୀ ଗାଡ଼ିକୁ ଅଟକାଇ ଆଖି ବୁଜା ଗୁଳିଚାଳନା କରିଥିଲେ।
ଏହି ସମୟରେ ସେମାନଙ୍କର ପୁଲିସ୍ କର୍ମୀଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁହାଁମୁହିଁ ହୋଇଥିଲା। ଯେଉଁଥିରେ ଦୁର୍ବୃତ୍ତଙ୍କ ଗୁଳିରେ ୪ ପୁଲିସ୍ କର୍ମୀ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଏହି ଘଟଣାରେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ଘଟଣା ନିମନ୍ତେ ନିଜକୁ ଦାୟୀ କରି ନାହାନ୍ତି। ତେବେ ପୁଲିସ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛି।
ଗୋଟିଏ ପଟେ ମହଙ୍ଗା ମାଡ଼ ଯୋଗୁ ଦେଶର ଅର୍ଥନୀତି ଦୋହଲି ଯାଇଥିବା ବେଳେ ବନ୍ୟା ପରିସ୍ଥିତି ସମସ୍ୟାକୁ ଅଧିକ ଗମ୍ଭୀର କରିଛି। ଏପରି ସ୍ଥିତିରେ ଆତଙ୍କବାଦୀ ଘଟଣା ପ୍ରଶାସନ ପାଇଁ ଟେନସନର କାରଣ ସାଜିଛି। ଏପରିକି ବନ୍ୟାରେ ଦେଶର ଏକ ତୃତୀୟାଂଶ ଉବୁଟୁବ ହେଉଥିବା ବେଳେ ଆତଙ୍କବାଦୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଆଣିଛି। ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ଆଳରେ ଆତଙ୍କବାଦୀ ଖୁଲମଖୁଲା ଚାନ୍ଦା ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି। ଫଳରେ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କ ସମେତ ପୁଲିସ ଓ ଦେଶର ସେନା କର୍ମଚାରୀଙ୍କୁ ମଧ୍ୟ ସେମାନେ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି।