ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଯୋଗୁ ସେରାଘାଟ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଗୁରୁତର ପ୍ରଭାବିତ ହୋଇଛି । ପିଥୋରଗଡ ଅଂଚଳରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି। ଆଜି ସକାଳେ ବାଦଲଫଟା ବର୍ଷା ଯୋଗୁ ସେରାଘାଟ ହାଇଡ୍ରୋ ପାୱାର ପ୍ରୋଜେକ୍ଟକୁ ଅନେକ ପରିମାଣରେ ପାଣି ପ୍ରବେଶ କରିଛି।
ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇନାହିଁ । ଏପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ । ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ଧସି ଯାଇଥିବାରୁ ଯାନବାହନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି । ମୁନସିଆରି ଅଂଚଳରେ ଗତ ୧୨ ଘଣ୍ଟା ମଧ୍ୟରେ ୨୫୦ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆହୁରି ବର୍ଷା ହେବାର ଆଶଙ୍କା କରାଯାଉଥିବାରୁ ସ୍ଥିତି ଆହୁରି ଗମ୍ଭୀର ହେବାର ଅନୁମାନ କରାଯାଉଛି । ପରିସ୍ଥିତିକୁ ନଜରରେ ରଖି ସ୍କୁଲ, କଲେଜ ଓ ସରକାରୀ ଅଫିସକୁ ଛୁଟି ଘୋଷଣା କରାଯାଇଛି । ପୂର୍ବରୁ ୨୦୧୩ରେ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା ସହ ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।