ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପୁଣି ବିଷାକ୍ତ ଫେଣର କରାଳ ଛାୟା। ରାଜରାସ୍ତାରେ ଯେଉଁଆଡେ ଚାହିଁବେ ସବୁଠି ଖାଲି ଫେଣ ହିଁ ଫେଣ। ରାସ୍ତାରେ ଯିବା ମଧ୍ୟ କଷ୍ଟକର। ସ୍ଥିତି ଏପରି ଯେ, କିଛି ସ୍ଥାନରେ ଏହି ବିଷାକ୍ତ ଫେଣରେ ରାସାୟନିକ ପ୍ରକ୍ରିୟା ଘଟି ନିଆଁ ଲାଗିଯାଉଛି।
ପ୍ରବଳ ବର୍ଷା ଯୋଗୁଁ ସହରର ବିଭିନ୍ନ ଡ୍ରେନରେ ବିଷାକ୍ତ ଫେଣର ମାତ୍ରା ବୃଦ୍ଧି ପାଇଛି। ବେଲାନ୍ଦୁର ହ୍ରଦରୁ ବାହାରୁଛି ଏହି ବିଷାକ୍ତ ଫେଣ। ରାସ୍ତାରେ ଉଡୁଥିବାରୁ ଗାଡି ଚଳାଚଳରେ ସମସ୍ୟା ଦେଖାଦେଇଛି। ଏହାସହ ଫେଣ ଯୋଗୁଁ ହ୍ରଦ ନିକଟରେ ରହୁଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏପରି ବିଷାକ୍ତ ଫେଣ ଉଡିବା ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ଆଦେଶକୁ ଅବମାନନା ବୋଲି ଚର୍ଚ୍ଚା ହେଉଛି। ଟ୍ରିବ୍ୟୁନାଲର ଆଦେଶକୁ ସରକାର ଅଣଦେଖା କରିଥିବାରୁ ବେଙ୍ଗାଲୁରୁ ସହରକୁ ପୁଣି ଥରେ ଏହି ବିଷାକ୍ତ ଫେଣ କବଳିତ କରିଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ହ୍ରଦରୁ ବାହାରୁଥିବା ବିଷାକ୍ତ ଫେଣ ସମସ୍ୟାର ସମଧାନ ଲାଗି ପଦକ୍ଷେପ ନିଆଯାଉଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟା କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବେଙ୍ଗାଲୁରୁ ସହରରେ ଥିବା ବେଲାନ୍ଦୁର ଓ ଭାର୍ତୁର ହ୍ରଦରେ ବିଷାକ୍ତ ଫେଣ ଉଡୁଥିଲା। ଏହାର ସମାଧାନ ଲାଗି ଚଳିତବର୍ଷ ପ୍ରାରମ୍ଭରେ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବେଲାନ୍ଦୁର ହ୍ରଦରେ କୌଣସି ପ୍ରକାର ଆବର୍ଜନା ନ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା ୭୬ଟି ପ୍ରଦୂଷିତ କାରଖାନାକୁ ବନ୍ଦ କରିବା ପାଇଁ ମଧ୍ୟ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ବେଙ୍ଗାଲୁରୁ ସହରର ସ୍ଥିତି ଯେପରି ଅଛି ସରକାର ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ କେତେଦୂର ପାଳନ କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।