ଭୋପାଲ: ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ବାହାଘର ପାଇଁ ଯୁବତୀଙ୍କ ବାପା ମା’ ରାଜି ହେଲେନି। ତଥାପି ନିଜ ପ୍ରେମକୁ ବିବାହର ରୂପ ଦେବା ପାଇଁ ପ୍ରେମିକ ଓ ପ୍ରେମିକା ବାପାମା’ଙ୍କ ଇଚ୍ଛା ବିରୋଧରେ ବାହା ହୋଇଗଲେ। ବାସ୍ କଥା ଏତିକିରେ ସରିଲା। ବାପା ମା’ଙ୍କ ଇଚ୍ଛା ବିରୋଧରେ ବାହା ହୋଇଥିବାରୁ ଏହି ଦମ୍ପତିଙ୍କୁ ସର୍ବସମ୍ମୁଖରେ ପରିବାର ଲୋକ ପରିସ୍ରା ପିଆଇ ଦେଲେ।
ଏପରିକି ସେମାନଙ୍କୁ ବାନ୍ଧି ମାଡ଼ ମଧ୍ୟ ମାରିଛନ୍ତି। ମଧ୍ୟପ୍ରଦେଶର ଅଲୀରାଜପୁରରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏ ସଂକ୍ରାନ୍ତରେ ଏକ ଭିଡିଓ ଭାଇରାଲ୍ ହୋଇଛି।
ଭିଡିଓରେ ଯୁବକ ଜଣଙ୍କୁ ଏକ ଖୁଣ୍ଟରେ ବନ୍ଧା ଯାଇଥିବା ବେଳେ ତାଙ୍କ ପତ୍ନୀ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ତଳେ ବସିଛନ୍ତି। ଏମାନେ ପରିବାରର ସମ୍ମାନହାନୀ କରିଥିବାରୁ ଏଭଳି ଦଣ୍ଡ ପାଇଥିବା ଜଣାପଡ଼ିଛି। ଯୁବକଙ୍କ ବୟସ ୨୩ ହୋଇଥିବା ବେଳେ ଯୁବତୀଙ୍କ ବୟସ ୨୧। ଉଭୟ ଅଲୀରାଜପୁରର ଏକ ଗାଁରେ ରୁହନ୍ତି।
ବାପା ମା’ଙ୍କ ଇଚ୍ଛା ବିରୋଧରେ ଏମାନେ ଗତ ମେ’ ମାସରେ ବାହା ହୋଇଥିଲେ। ବାହାଘର ପରେ ଉଭୟ ଗୁଜରାଟ ଚାଲି ଯାଇଥିଲେ। ତେବେ ଦୁଇ ସପ୍ତାହ ତଳେ ଗାଁକୁ ଫେରି ଯୁବକଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ଜୁଲାଇ ୨୫ରେ ଯୁବତୀଙ୍କ ପରିବାର ଲୋକ ଏ କଥା ଜାଣିବା ପରେ ଦମ୍ପତିଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ।
ଏହାପରେ ସେମାନେ ଯୁବତୀଙ୍କୁ ମାଡ଼ ମାରିବା ସହ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଯାତନା ଦେଇଥିଲେ। ଏପରିକି ଯୁବତୀଙ୍କ ଚୁଟି ମଧ୍ୟ କାଟି ଦେଇଥିଲେ। ଏହାପରେ ଉଭୟଙ୍କୁ ପରିସ୍ରା ପିଇବାକୁ ବାଧ୍ୟ କରାଯାଥିଲା।
ଏହି ଘଟଣା ପରେ ଦମ୍ପତି ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଯୁବତୀଙ୍କ ଦୁଇଜଣ ଦାଦାଙ୍କୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।