ନୂଆଦିଲ୍ଲୀ: ଦେଶର ଗଚ୍ଛିତ ବିଦେଶୀ ମୁଦ୍ରା ପରିମାଣ ସର୍ବକାଳୀନ ରେକର୍ଡ କରିଛି। ଏହା ବର୍ତ୍ତମାନ ୪୬୬.୬୯୩ ବିଲିଅନ୍ ଡଲାରରେ ପହଞ୍ଚିଛି। ଜାନୁଆରୀ ୨୪ରୁ ଏଥିରେ ୪.୩୫ ଡଲାର ବୃଦ୍ଧି ଘଟିବା କାରଣରୁ ଏପରି ରେକର୍ଡ ସମ୍ଭବ ହୋଇପାରିଛି। ସଦ୍ୟ ଆରବିଆଇ ରିଲିଜ୍ କରିଥିବା ତଥ୍ୟରୁ ଏ ବିଷୟରେ ସୂଚନା ମିଳିଛି।
ଗତ ସପ୍ତାହରେ ଏଥିରେ ୯୪୩ ମିଲିଅନ୍ ବୃଦ୍ଧି ପାଇ ଗଚ୍ଛିତ ବିଦେଶୀ ମୁଦ୍ରାର ପରିମାଣ ୪୬୨.୧୬ ବିଲିଅନ୍ରେ ପହଞ୍ଚିଥିଲା।
ଚଳିତ ସପ୍ତାହରେ ଫରେନ୍ କରେନ୍ସି ଆସେଟ୍ର ପରିମାଣ ଏହି ରିଜର୍ଭର ବୃଦ୍ଧିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲା। ଏଥିରେ ୪.୪୭୦ ବିଲିଅନ୍ ଡଲାର ବୃଦ୍ଧି ପାଇ ରିଜର୍ଭ ୪୩୨.୯୧୯ ବିଲିଅନ୍ ଡଲାରକୁ ବୃଦ୍ଧି ହୋଇଥିଲା। ଫରେନ୍ କରେନ୍ସି ଆସେଟ୍ରେ ଆମେରିକୀୟ ଡଲାରକୁ ବାଦ୍ ଦେଇ ୟୁରୋ, ପାଉଣ୍ଡ ଏବଂ ୟେନ୍ ଆଦି ମୁଦ୍ରାର ପରିମାଣକୁ ହିସାବକୁ ନିଆଯାଇଥାଏ।
ସୂଚନାଯୋଗ୍ୟ ଯେ, ଚଳିତ ସପ୍ତାହରେ ଗଚ୍ଛିତ ସୁନାର ପରିମାଣରେ ୧୫୩ ମିଲିଅନ୍ ଆମେରିକୀୟ ଡଲାର ବୃଦ୍ଧି ପାଇ ଏହା ୨୮.୭୧୫ ବିଲିଅନ୍ ଡଲାର ହୋଇଥିଲା।