ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହରଦୋଇଠାରେ ଆଜି ମଧ୍ୟାହ୍ଣରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରେଳ ଧାରଣା ମରାମତି କରୁଥିବା କିଛି ଶ୍ରମିକଙ୍କ ଉପରେ ଏକ ଦ୍ରୁତଗାମୀ ଟ୍ରେନ୍ ମାଡ଼ିଯିବାରୁ ୩ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।
ରେଳ ବିଭାଗର ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ଣ ପ୍ରାୟ ୧୧.୫୫ରେ ସାଣ୍ଡିଲା ଓ ଉମରଟାଲି ରେଳ ଧାରଣାରେ କିଛି ଶ୍ରମିକ ମରାମତି କାର୍ଯ୍ୟ କରୁଥିଲେ। ଏହି ସମୟରେ କୋଲକାତା-ଅମୃତସର ଅକାଲତଖତ ଏକ୍ସପ୍ରେସ ଅତର୍କିତ ଭାବେ ସେହି ଧାରଣାରେ ଚାଲି ଆସିଥିଲା। ଫଳରେ ସେଠାରେ କାର୍ଯ୍ୟରତ ଶ୍ରମିକଙ୍କ ଉପରେ ଏହା ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ୪ ଜଣ ଶ୍ରମିକଙ୍କ ମୃତ୍ୟୃ ଘଟିଛି।
ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଶ୍ରମିକମାନେ ରେଳ ଧାରଣାରେ କାମ କରୁଥିଲେ ହେଁ କୌଣସି ପୂର୍ବ ସୂଚନା ଟ୍ରେନ୍ ଡ୍ରାଇଭର କିମ୍ବା ଷ୍ଟେସନ୍ ମାଷ୍ଟରଙ୍କୁ ଦିଆଯାଇ ନଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।