ପାଟନା: ଭଲିବଲ୍ ମ୍ୟାଚ୍ ଖେଳିବାକୁ ଡାକି ବିହାରର ୪ ଜଣ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକମାନେ ଖରିକ ଥାନା ଅନ୍ତର୍ଗତ ନରକଟିୟା ଅଞ୍ଚଳର ପ୍ରଦୀପ କୁମାର ଝା, ଶ୍ରବଣ କୁମାର ଝା, ବିହପୁର ଥାନା ଅନ୍ତର୍ଗତ ଗୌରୀପୁରର ସୌରଭ କୁମାର ଏବଂ ଛୋଟୁ କୁମାର। ମୃତକମାନେ ଗତ ୧୩ ତାରିଖରୁ ନିଖୋଜ ଥିଲେ।
ଗତ ୧୩ ତାରିଖରେ ମୃତକମାନଙ୍କୁ ଭଲିବଲ୍ ଖେଳିବାକୁ ଡକାଯାଇଥିଲା। ଏମାନେ ନବଗଛିଆ-ଖଗଡିୟା ସୀମାବର୍ତ୍ତି ଗଙ୍ଗା ଦିୟାରା ଅଞ୍ଚଳକୁ ଭଲିବଲ୍ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଅପହରଣ ମାମଲା ରୁଜୁ କରିଥିଲେ। ଏହାପରେ ପୋଲିସ୍ ତଲାସୀ ଆରମ୍ଭ କରି ଦେଇଥିଲା। ତଲାସୀ ବେଳେ ଛୋଟି ଅଣ୍ଡଗାଁର ନଦୀ କୂଳରେ ପୋଲିସ୍କୁ ରକ୍ତ ମିଳିଥିଲା। ଏବେ ପୋଲିସ୍ ମୃତକଙ୍କ ଶବ ଖୋଜୁଛି।
ଏହି ମାମଲାରେ ପୋଲିସ ରୋହିତ କୁମାର ନାମକ ଜଣେ ଯୁବକଙ୍କୁ ଗିରଫ କରିଚି। ରୋହିତ ଦୁର୍ଦ୍ଦାନ୍ତ ଅପରାଧୀ ପିଣ୍ଟୁ ଝା’ର ଲୋକ ବୋଲି କୁହାଯାଉଛି। କିଛିଇଦିନ ପୂର୍ବେ ମୃତ ଯୁବକମାନଙ୍କ ଖେଳିବାକୁ ନେଇ ବିବାଦ ଦେଖା ଦେଇଥିଲା। ଏହି ବିବାଦ କାରଣରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପୋଲିସ ଆଶଙ୍କା କରୁଛି।