ଲଣ୍ଡନ: ଆଜି ଲଣ୍ଡନର କେନିଙ୍ଗଟନ ଓଭାଲରେ ଚାଲିଥିବା ଭାରତ ଓ ଅଷ୍ଚ୍ରେଲିଆ କ୍ରିକେଟ୍ ମ୍ୟାଚ ଦେଖୁଛନ୍ତି 'ପଳାତକ' ଘୋଷିତ ଶିଳ୍ପପତି ବିଜୟ ମାଲ୍ୟା। ନିଜର ରଙ୍ଗିଲା ମିଜାଜ ଏବଂ ସୌଖୀନ ଜୀବନଶୈଳୀ ପାଇଁ ପରିଚିତ ଥିବା ବିଜୟ ମାଲ୍ୟା ବ୍ରିଟେନକୁ ପଳାୟନ କରିଛନ୍ତି। ଇଣ୍ଟରପୋଲ୍ ତାଙ୍କ ପଛରେ ପଡ଼ିଥିବାରୁ ସେ ଅନ୍ୟ ଦେଶ ମଧ୍ୟ ଯିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି। ଏଭଳି ସ୍ଥିତିରେ ନିଜ ଦେଶର ଖେଳାଳୀଙ୍କ ମ୍ୟାଚ ଦେଖିବାର ସୁଯୋଗକୁ ହାତଛଡ଼ା କରି ନାହାନ୍ତି ମଦ ସମ୍ରାଟ୍ ବିଜୟ ମାଲ୍ୟା। ପୁଅ ସିଦ୍ଧାର୍ଥ ମାଲ୍ୟା ମଧ୍ୟ ତାଙ୍କ ସହ ବସି ମ୍ୟାଚ ଦେଖୁଥିବା ଦେଖିବାକୁ ମିଳିଛି।
ଏବେ ବିଜୟ ମାଲ୍ୟା ବ୍ରିଟେନରେ ରହିଛନ୍ତି। ନିକଟରେ ବ୍ରିଟେନ୍ ସରକାର ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନକୁ ଲଣ୍ଡନର ଏକ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ତେଣୁ ବିଜୟ ମାଲ୍ୟା ଭାରତ ଫେରିବା ଏବେ ନିଶ୍ଚିତ ହୋଇଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଋଣ ନେଇ ମାଲ୍ୟା ଫେରାର ହୋଇଯାଇଥିଲେ।