କର୍ପୋରେଟ୍‌ ଷ୍ଟାଇଲ୍‌ରେ ହେବ କଂଗ୍ରେସର ନବକଳେବର, ରହିବ ଏଚ୍‌ଆର ଡିପାର୍ଟମେଣ୍ଟ

ନୂଆଦିଲ୍ଲୀ: କଂଗ୍ରେସରୁ ସଭାପତି ରାହୁଲ ଗାନ୍ଧି ଇସ୍ତଫା ଦେବାର ୨ ମାସ ବିତିଯିବା ପରେ କଂଗ୍ରେସର ନବକଳେବର ପାଇଁ ଯୋଜନା ଆରମ୍ଭ ହୋଇଛି। ବଜେଟ୍‌ ଅଧିବେଶନ ସରିବା ପରେ ୱାର୍କିଂ କମିଟି ନୂଆ ସଭାପତିଙ୍କୁ କିଭଳି ବଛାଯିବ, ସେନେଇ ଆଲୋଚନା କରିବ। ଏହି ବୈଠକର ଏଜେଣ୍ଡା ବାବଦରେ ଏଯାଏ ସ୍ପଷ୍ଟ ତଥ୍ୟ ମିଳିନଥିବାବେଳେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ ଗାନ୍ଧି ପରିବାରର ବିଶ୍ୱସ୍ତ ସାମ୍‌ ପିଟ୍ରୋଡ଼ା କର୍ପୋରେଟ୍‌ ଷ୍ଟାଇଲରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ଯାହା […]

congress

Subrat Kumar Nayak
  • Published: Friday, 02 August 2019
  • , Updated: 02 August 2019, 06:17 PM IST

ନୂଆଦିଲ୍ଲୀ: କଂଗ୍ରେସରୁ ସଭାପତି ରାହୁଲ ଗାନ୍ଧି ଇସ୍ତଫା ଦେବାର ୨ ମାସ ବିତିଯିବା ପରେ କଂଗ୍ରେସର ନବକଳେବର ପାଇଁ ଯୋଜନା ଆରମ୍ଭ ହୋଇଛି। ବଜେଟ୍‌ ଅଧିବେଶନ ସରିବା ପରେ ୱାର୍କିଂ କମିଟି ନୂଆ ସଭାପତିଙ୍କୁ କିଭଳି ବଛାଯିବ, ସେନେଇ ଆଲୋଚନା କରିବ। ଏହି ବୈଠକର ଏଜେଣ୍ଡା ବାବଦରେ ଏଯାଏ ସ୍ପଷ୍ଟ ତଥ୍ୟ ମିଳିନଥିବାବେଳେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ ଗାନ୍ଧି ପରିବାରର ବିଶ୍ୱସ୍ତ ସାମ୍‌ ପିଟ୍ରୋଡ଼ା କର୍ପୋରେଟ୍‌ ଷ୍ଟାଇଲରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ଯାହା ଆଧାରରେ କଂଗ୍ରେସର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।

୧୩୪ ବର୍ଷର ଏହି ପୂରୁଣା ଦଳର ନବକଳେବର ପାଇଁ ରିପୋର୍ଟରେ ୨୦ଟି ପରାମର୍ଶ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଏଥିରେ ୨୦୧୪ ମସିହାର ସବୁଠାରୁ ଖରାପ ପ୍ରଦର୍ଶନ (୫୪୩ ଆସନରୁ ମାତ୍ର ୪୪ଟିରେ ବିଜୟ) ଏବଂ ୨୦୧୯ରେ ଦ୍ୱିତୀୟ ନ୍ୟୁନତମ ପ୍ରଦର୍ଶନ (୫୨ଆସନ) ବାବଦରେ ଆଲୋକପାତ କରାଯାଇଛି। ଏଥିମଧ୍ୟରୁ ଗୋଟିଏ ପରାମର୍ଶ ଅନୁଯାୟୀ ଦଳରେ ଜଣେ ଚିଫ୍‌ ଟେକ୍ନିକାଲ ଅଫିସର (ସିଟିଓ) ନିଯୁକ୍ତ ହେବେ, ଏକ ମାନବ ସମ୍ବଳ ବା ଏଚ୍‌ଆର ବିଭାଗ ରହିବ ଏବଂ ପ୍ରତି ପଦାଧିକାରୀଙ୍କ ପାଇଁ ଲକ୍ଷ୍ୟ ବା ଟାର୍ଗେଟ ଧାର୍ଯ୍ୟ କରାଯିବ।

ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ, ଅର୍ଥାତ ୮ରୁ ୧୦ ତାରିଖ ମଧ୍ୟରେ କେଉଁ ଏକ ଦିନ ସିଡବ୍ଲ୍ୟୁସିର ବୈଠକ ବସିବ। ଏହି ବୈଠକରେ ରାହୁଲ ଗାନ୍ଧିଙ୍କୁ ଇସ୍ତଫା ଫେରାଇ ନେବାକୁ ଶେଷ ଥର ପାଇଁ ଅନୁରୋଧ କରାଯିବ। ଅନ୍ୟପକ୍ଷରେ ସଭାପତି ପଦବୀ ପାଇଁ ପ୍ରିୟଙ୍କା ଗାନ୍ଧିଙ୍କ ନାମ କିଛି ଦିନ ହେଲା ଚର୍ଚ୍ଚାରେ ରହିଥିଲେ ହେଁ ସେ ନିଜେ ତାଙ୍କ ନାମକୁ ଏଥିରେ ନ ଯୋଡ଼ିବାକୁ କହିଥିବା ଜଣାପଡ଼ିଛି।

ରାହୁଲ ଇସ୍ତଫା ଦେବା ପରେ ଏକ ପ୍ରକାର ବିନା ନେତୃତ୍ୱରେ ଚାଲୁଥିବା କଂଗ୍ରେସ ଗୋଆ, କର୍ଣ୍ଣାଟକା ଏବଂ ତେଲଙ୍ଗାନାରେ ପ୍ରବଳ କ୍ଷତି ସହି ସାରିଲାଣି। ଚଳିତ ବର୍ଷ ଶେଷ ଆଡ଼କୁ ଝାରଖଣ୍ଡ, ହରିଆଣା ଏବଂ ମହାରାଷ୍ଟ୍ର ସହିତ ଜମ୍ମୁ କଶ୍ମୀରରେ ମଧ୍ୟ ନିର୍ବାଚନ ହେବାର ସମ୍ଭାବନା ରହିଥିବାରୁ କଂଗ୍ରେସ ଏଥିପାଇଁ କେତେ ପ୍ରସ୍ତୁତ ସେନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ତେବେ ଏସବୁକୁ ସାମ୍ନା କରିବା ପାଇଁ ସାମ୍‌ ପିଟ୍ରୋଡ଼ା ପ୍ରସ୍ତୁତ କରିଥିବା ରିପୋର୍ଟରେ ୨୦୨୦ ପାଇଁ ଟାର୍ଗେଟ୍‌ ରଖାଯାଇଛି। ୬୦ ଦିନର ଅବଧିରେ କଂଗ୍ରେସ ଦଳକୁ ସୁଧାରିବା ପ୍ରୟାସ ସହିତ ଉଭୟ ଜାତୀୟ ଏବଂ ରାଜ୍ୟ ସ୍ତରରେ ସିଟିଓ ନିଯୁକ୍ତ କରାଯିବ। ସେ ସୋଶାଲ ମିଡିଆ ଉପରେ ନଜର ରଖିବା ସହ ଡାଟା ଆନାଲିଟିକ୍ସ ଉପରେ କାମ କରିବେ। ୨୦୧୯ ସାଧାରଣ ନିର୍ବାଚନରେ ପ୍ରବୀଣ ଚକ୍ରବର୍ତ୍ତୀଙ୍କ ଦାୟିତ୍ୱରେ ଥିବା ଡାଟା ଆନାଲିଟିକ୍ସ ବିଭାଗର ବିଫଳତା ପରେ ପିଟ୍ରୋଡା ଏହି ପ୍ରସ୍ତାବ ଦେଇଛନ୍ତି।

ସେହିଭଳି ମାନବ ସମ୍ବଳ ବା ଏଚ୍‌ଆର ସିଷ୍ଟମ୍‌ରେ ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ଦିଆଯିବ। ରାହୁଲ ଗାନ୍ଧି ଇସ୍ତଫା ଦେବା ଦିନ ଏହି ବିଷୟରେ ମତ ରଖିଥିଲେ। ପିଟ୍ରୋଡ଼ା ସେହି କାରଣରୁ ଏଭଳି କିଛି ବ୍ୟବସ୍ଥା ବାବଦରେ କହିଛନ୍ତି ଯାହା ଦ୍ୱାରା ପ୍ରତି ପଦାଧିକାରୀଙ୍କ ଜବ୍‌ ରୋଲ୍‌ ବା ଦାୟିତ୍ୱ ସ୍ପଷ୍ଟ ରହିବ ଏବଂ ରେଟିଂ ସିଷ୍ଟମ୍‌ ଲାଗୁ ହେବ। ଏତଦ୍‌ବ୍ୟତୀତ ଏକ ୧୦ ଜଣିଆ ବୋର୍ଡ ମଧ୍ୟ ରହିବ, ଯେଉଁଥିରେ ଦଳ ବାହାରୁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ସାମିଲ ହେବେ। ସେହିଭଳି ଆଞ୍ଚଳିକ ଭିତ୍ତିରେ ସାଧାରଣ ସମ୍ପାଦକ ବଦଳରେ ବିଭିନ୍ନ ପ୍ରସଙ୍ଗ ପାଇଁ ଭିନ୍ନ ଭିନ୍ନ ସାଧାରଣ ସମ୍ପାଦକ ରହିବେ, ଯେପରିକି ଅର୍ଥ, ରାଜନୀତିକ ବ୍ୟାପାର, ନିର୍ବାଚନ, ଏଚ୍‌ଆର ଏବଂ ବିଭିନ୍ନ ରାଜ୍ୟର ସମସ୍ୟା ଇତ୍ୟାଦି।

ତେବେ ବରିଷ୍ଠ ରାଜନୀତିଜ୍ଞମାନେ ସେମାନଙ୍କ ମତ ରଖି କହିଛନ୍ତି ବିଜେପିକୁ ଚେକ୍‌ ଦେବାକୁ ହେଲେ ସେବାଦଳକୁ ସକ୍ରିୟ କରି ତୃଣମୂଳ ସ୍ତରକୁ ପହଞ୍ଚିବାକୁ ହେବ। ଆଉ କେହି କେହି କହିଛନ୍ତି ସାମ୍‌ ପିଟ୍ରୋଡ଼ା ଟେକ୍ନୋଲୋଜି ବୁଝିବାରେ ଅଗ୍ରଣୀ ହୋଇଥାଇପାରନ୍ତି, କିନ୍ତୁ ସେ ସମ୍ଭବତଃ ଭାରତୀୟ ରାଜନୀତିକୁ ବୁଝିବାରେ ସକ୍ଷମ ହୋଇନାହାନ୍ତି। ତୃଣମୂଳ ସ୍ତରରେ ଫୋକସ ନରଖି ଉପର ସ୍ତରରେ କର୍ପୋରେଟାଇଜେସନ୍‌ କରାଗଲେ, ତା'ର କୌଣସି ସୁଫଳ ମିଳିବନାହିଁ ବୋଲି ସେମାନେ ମତ ଦେଇଛନ୍ତି।

Related story