ଅଲିଗଡ଼: ପାକିସ୍ତାନରୁ ଦୀର୍ଘ ୧୫ ବର୍ଷ ପରେ ଭାରତକୁ ଫେରିଥିବା ଭିନ୍ନକ୍ଷମ ଝିଅ ଗୀତାଙ୍କ ପ୍ରକୃତ ପରିଚୟକୁ ନେଇ ଏବେ ବିବାଦ ଦେଖା ଦେଇଛି। ବିହାରର ମାହାତୋ ପରିବାର ଗୀତା ତାଙ୍କ ଝିଅ ବୋଲି ଦାବି କରୁଛନ୍ତି। ହେଲେ ଗୀତା ମାହାତୋ ପରିବାରର କୌଣସି ସଦସ୍ୟଙ୍କୁ ଚିହ୍ନିପାରି ନାହାନ୍ତି। ଏବେ ଉତ୍ତର ପ୍ରଦେଶର ଅଲିଗଡ଼ର ଏକ ପରିବାର ଗୀତା ତାଙ୍କ ଝିଅ ବୋଲି ଦାବି କରିଛନ୍ତି।
ଅଲିଗଢର ବହାଳ ସିଂଙ୍କ ପରିବାର ଦାବି କରିଛନ୍ତି ଯେ, ୧୨ ନଭେମ୍ୱର ୨୦୦୨ରେ ତାଙ୍କ ଝିଅ ଡ଼ଲି ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜା ଖୋଜି ପରେ ମଧ୍ୟ ସେମାନେ ଡ଼ଲିକୁ ପାଇ ନ ଥିଲେ। ଏନେଇ ସେମାନେ ଥାନାରେ ଏତଲା ମଧ୍ୟ ଦେଇଥିଲେ। ଏହାସହ ଖବର କାଗଜରେ ଡ଼ଲି ନିଖୋଜ ସମ୍ପର୍କରେ ବିଜ୍ଞାପନ ମଧ୍ୟ ଦିଆଯାଇଥିଲା ବୋଲି ବହାଳ ସିଂଙ୍କ ପରିବାର କହିଛନ୍ତି। ଗୀତାଙ୍କ ପରି ଡ଼ଲି କଥା କହିପାରୁ ନ ଥିଲା କି ଣୁଣି ପାରୁ ନ ଥିଲା।