ଗୋରଖପୁର ହସ୍ପିଟାଲରେ ଶିଶୁଙ୍କ ପାଇଁ ଦେବଦୂତ ସାଜିଥିବା ଡାକ୍ତରଙ୍କୁ ପଦବୀରୁ ହଟାଇ ଦିଆଗଲା

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ବାବା ରାଘବ ଦାସ ମେଡିକାଲ କଲେଜରେ ଶିଶୁଙ୍କ ପାଇଁ ଦେବଦୂତ ସାଜିଥିବା ଡାକ୍ତର କଫିଲ ଅହମ୍ମଦଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଇଛି। କଫିଲ ମେଡିକାଲ କଲେଜର ଇନ୍‌ସେଫେଲାଇଟ୍ସ ବିଭାଗର ଇନଚାର୍ଜ ଥିଲେ। ଏହାସହ କଫିଲଙ୍କ ପାଖରେ ଥିବା କଲେଜର ଭାଇସ ପ୍ରିନ୍ସପାଲ ଓ ହସ୍ପିଟାଳ ଅଧୀକ୍ଷକ ଦାୟିତ୍ୱକୁ ମଧ୍ୟ କାଢ଼ି ନିଆଯାଇଛି। କଫିଲଙ୍କୁ ହଟା ଯିବା ଖବର ଆସିବା ପରେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ହସ୍ପିଟାଲରେ ଅକ୍ସିଜେନ ସରିବା […]

baby-1

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 08:03 PM IST

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ବାବା ରାଘବ ଦାସ ମେଡିକାଲ କଲେଜରେ ଶିଶୁଙ୍କ ପାଇଁ ଦେବଦୂତ ସାଜିଥିବା ଡାକ୍ତର କଫିଲ ଅହମ୍ମଦଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଇଛି। କଫିଲ ମେଡିକାଲ କଲେଜର ଇନ୍‌ସେଫେଲାଇଟ୍ସ ବିଭାଗର ଇନଚାର୍ଜ ଥିଲେ। ଏହାସହ କଫିଲଙ୍କ ପାଖରେ ଥିବା କଲେଜର ଭାଇସ ପ୍ରିନ୍ସପାଲ ଓ ହସ୍ପିଟାଳ ଅଧୀକ୍ଷକ ଦାୟିତ୍ୱକୁ ମଧ୍ୟ କାଢ଼ି ନିଆଯାଇଛି।

କଫିଲଙ୍କୁ ହଟା ଯିବା ଖବର ଆସିବା ପରେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ହସ୍ପିଟାଲରେ ଅକ୍ସିଜେନ ସରିବା ପରେ କଫିଲ ଏହାକୁ ଯୋଗାଡ କରିବାକୁ ପୁରା ଦମ ଲଗାଇ ଦେଇଥିଲେ। ଏପରିକି ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ସେ ଅକ୍ସିଜେନ ସିଲିଣ୍ଡର ମଧ୍ୟ କିଣିଥିଲେ। ତାଙ୍କ ଏପରି ଉଦ୍ୟମକୁ ହସ୍ପିଟାଲରେ ଥିବା ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ସବୁ ସ୍ତରରେ ପ୍ରଶଂସା କରାଯାଇଥିଲା।

ଅକ୍ସିଜେନ ସରିଯିବାରୁ ୪୮ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ୩୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଶିଶୁଙ୍କ ଜୀବନ ବଞ୍ଚାଇବାକୁ ସତେ ଯେମିତି ଦେବଦୂତ ସାଜିଥିଲେ କଫିଲ। ଶିଶୁମାନଙ୍କୁ ଅକ୍ସିଜେନ ଯୋଗାବାକୁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ଗତ ଗୁରୁବାର ରାତି ପ୍ରାୟ ୨ଟାରେ କଫିଲ ଅକ୍ସିଜେନ ଯୋଗାଣ ସରିଯିବା କଥା ଜାଣିବା ପରେ ସାଙ୍ଗ ଡାକ୍ତରଙ୍କ ପାଖରୁ ୩ଟି ଜମ୍ବୋ ଅକ୍ସିଜେନ ସିଲିଣ୍ଡର ନିଜ କାରରେ ଆଣି ହସ୍‌ପିଟାଲରେ ପହଞ୍ଚିଥିଲେ। ରାତିଟି ଯାହା ଯେମିତି କଟି ଯାଇଥିଲା। ସକାଳେ ପୁଣି ଅକ୍ସିଜେନ ସିଲିଣ୍ଡର ଶେଷ ହୋଇଯାଇଥିଲା। ଏହାପରେ ହସ୍ପିଟାଲରେ ସ୍ଥିତି ଜଟିଳ ହୋଇଯାଇଥିଲା। ଅକ୍ସିଜେନ ସିଲିଣ୍ଡର ପାଇଁ କଫିଲ ବିଭିନ୍ନ ସଂସ୍ଥା ଓ ଉପରିସ୍ଥ ଅଧିକାରୀଙ୍କୁ ଫୋନ କରିଥିଲେ ସୁଦ୍ଧା କେହି ଫୋନ୍‌ ଉଠାଇ ନଥିଲେ। ଶେଷରେ କଫିଲ ପୁଣି ଥରେ ସାଙ୍ଗ ଡାକ୍ତରଙ୍କୁ ସାହାଯ୍ୟ ମାଗିଥିଲେ। ସାଙ୍ଗମାନଙ୍କ ପାଖରୁ ୧୨ଟି ଅକ୍ସଜେନ୍‌ ସିଲିଣ୍ଡର ଯୋଗାଡ କରି କାରରେ ଲଦି ହସ୍ପିଟାଲରେ ପହଞ୍ଚି ଥିଲେ। ଏତିକିରେ ବି ବିପଦ ଟଳି ନ ଥିଲା। ଶିଶୁଙ୍କ ପାଇଁ ଅଧିକ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ପଡିଥିଲା। ଏହାପରେ ସେ ଏକ ଅକ୍ସିଜେନ ଯୋଗାଣକାରୀ ସଂସ୍ଥାକୁ ଫୋନ କରିଥିଲେ। ନଗଦ ଟଙ୍କା ନେଇ ଅକ୍ସିଜେନ ସିଲିଣ୍ଡର ଦେବାକୁ ସଂସ୍ଥା ରାଜି ହୋଇଥିଲା। କଫିଲ ତାଙ୍କ ଏଟିଏମ୍‌ କାର୍ଡ ଦେଇ ଜଣେ ହସ୍ପିଟାଲ କର୍ମଚାରୀଙ୍କୁ ଟଙ୍କା ଉଠାଇବା ପାଇଁ କହିଥିଲେ। ପରେ ଉକ୍ତ ସଂସ୍ଥାକୁ ନଗଦ ଟଙ୍କା ଦେବା ପରେ ସିଲିଣ୍ଡର ବ୍ୟବସ୍ଥା ହୋଇଥିଲା।

ରବିବାର ସକାଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କ ଗୋରଖପୁର ହସ୍ପିଟାଲ ପରିଦର୍ଶନ ପରେ କଫିଲଙ୍କୁ ସମସ୍ତ ପଦବୀରୁ ହଟା ଦିଆଯାଇଛି। ଯାହାକୁ ନେଇ ଆଗକୁ ବିବାଦ ବଢିବାର ଆଶଙ୍କା ପ୍ରକାଶ ପାଇଛି।

Related story