ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ବୁଧବାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ନିର୍ବାଚନ ପରେ ଏହି ପ୍ରଥମ ଅଧିବେଶନ ସକାଳ ୮ଟାରେ ଆରମ୍ଭ ହେବ। ଏହି ଅଧିବେଶନରେ ବିଧାୟକମାନେ ଶପଥ ନେବେ।
ରାଜ୍ୟପାଳ ନିଯୁକ୍ତି ଦେଇଥିବା ପ୍ରୋଟେମ୍ ସ୍ପିକର କାଳିଦାସ କୋଲମ୍ବକର ଏହି ଶପଥ ପାଠ କରାଇବେ। ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରେ ମହାରାଷ୍ଟ୍ରରେ ନିର୍ବାଚନ ହେବାପରେ ୨୪ ତାରିଖରେ ଭୋଟ୍ ଗଣତି ହୋଇଥିଲା। ତେବେ ନିର୍ବାଚନ ପୂର୍ବରୁ ବିଜେପି ସହ ହାତ ମିଶାଇଥିବା ଶିବସେନା ନିର୍ବାଚନ ପରେ ମୁହଁ ଫେରାଇବାରୁ ଏହା ପରଠାରୁ ମହାରାଷ୍ଟ୍ରରେ ଅସ୍ଥିରତା ଲାଗି ରହିଛି।
ଏହାପୂର୍ବରୁ ବିଜେପିର କାଳିଦାସ କୋଲମ୍ବକର ପ୍ରୋଟେମ୍ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶପଥ କରାଇଛନ୍ତି।
ସୂଚନାଯୋଗ୍ୟ ଯେ, ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ବରିଷ୍ଠତା ଆଧାରରେ ଜଣେ ଅସ୍ଥାୟୀ ବାଚସ୍ପତି ବଛାଯାଇଥାଏ। ସର୍ବାଧିକ ଥର ବିଧାୟକ ହୋଇଥିବା ବ୍ୟକ୍ତିଙ୍କୁ ଏହି ପଦ ପାଇଁ ବଛାଯାଇଥାଏ। ରାଜ୍ୟପାଳ ହିଁ ଏହି ପଦ ପାଇଁ ଜଣଙ୍କୁ ମନୋନୀତ କରିଥା’ନ୍ତି।