ନୂଆଦିଲ୍ଲୀ: ହିନ୍ଦୁ ଦମ୍ପତି ଅତି କମ୍ରେ ୪ଟି ଶିଶୁ ଜନ୍ମ ଦିଅନ୍ତୁ। ଏହାଦ୍ୱାରା ହିନ୍ଦୁଙ୍କ ସଂଖ୍ୟାରେ ସ୍ଥିରତା ଆସିବ। ପରିବାରକୁ ସମତୁଳ କରିବା ପାଇଁ ୪ଟି ଶିଶୁ ଆବଶ୍ୟକ। ଦେଶରେ ଏକକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହେବା ପର୍ଯ୍ୟନ୍ତ ହିନ୍ଦୁ ମହିଳାମାନେ ୪ଟି ସନ୍ତାନ ଜନ୍ମ ଦେବା ଆବଶ୍ୟକ। ଫଳରେ ଜନସଂଖ୍ୟାର ତାରତମ୍ୟରେ ସମାନତା ଆସିପାରିବ। ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ସ୍ୱାମୀ ଦେବଗିରୀ। ପୂର୍ବରୁ ନିଜ ବୟାନ ପାଇଁ ବିବାଦୀୟ ହୋଇଥିବା ଦେବଗିରୀ ପୁଣି ଥରେ ଏପରି ମନ୍ତବ୍ୟ ରଖିଛନ୍ତି ।
କର୍ଣ୍ଣାଟକ ଉଡୁପିରେ ଆୟୋଜିତ ହିନ୍ଦୁ ସଂସଦ ଆଲୋଚନା ଚକ୍ରକୁ ସମ୍ବୋଧନ କରିଥିଲେ ଦେବଗିରୀ। ସେ କହିଛନ୍ତି ଯେ, ଦୈତ୍ୟ ସନ୍ତାନ ନୀତି କେବଳ ହିନ୍ଦୁମାନଙ୍କ ପାଇଁ ଲାଗୁ ହେବା ଅନୁଚିତ୍ । ଏହା ଦ୍ୱାରା ଜନସଂଖ୍ୟାରେ ଅସମାନତା ପରିସ୍ଥିତି ସୃଷ୍ଟି ହେବା ସହ ହିନ୍ଦୁଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଦେବଗିରୀଙ୍କ ବୟାନକୁ ବିଭିନ୍ନ ମହଳରୁ ବିରୋଧ ହୋଇଛି । ବଢ଼ୁଥିବା ଜନସଂଖ୍ୟା ଦେଶ ପାଇଁ ବଡ଼ ସମସ୍ୟା । ତେଣୁ ଏପରି ମନ୍ତବ୍ୟ ଆଦୌ ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇଛି । ତେବେ ଦେଶର ବିକାଶ ଏବଂ ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିବା ଠିକ୍ ନୁହେଁ ବୋଲି ବି କହିଛନ୍ତି ସ୍ୱାମୀ ଦେବଗିରୀ।