ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣର ଠିକ୍ ତିନି ସପ୍ତାହ ପରେ ଆଜି ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ଜମ୍ମୁ ସହରର ମଧ୍ୟସ୍ଥଳରେ ଥିବା ଏକ ବସ୍ଷ୍ଟାଣ୍ଡରେ ଏକ ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା। ଏକ ବସ୍ ଭିତରେ ଏହି ବିସ୍ଫୋରଣ ହୋଇଥିଲା। ଏଥିରେ ୨୬ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ୍ ଦେଇଥିବା ସୂଚନା ମୁତାବକ,ଏହି ବିସ୍ଫୋରଣରେ ଅଧିକାଂଶ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଆହତ ହୋଇଛନ୍ତି। ତେବେ ବସ୍ ଭିତରେ କେହି ଯାତ୍ରୀ ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇପାରିନି।
ପୁଲିସ୍ ଘଟଣାସ୍ଥଳକୁ ଘେରି ଦେଇଛି ଓ ଘଟଣାର ତଦନ୍ତ କରୁଛି। ବସ୍ ତଳେ ଗ୍ରେନେଡ୍ ରଖା ଯାଇଥିଲା ବୋଲି ପୁଲିସ୍ ଅନୁମାନ କରୁଛି।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ପ୍ରଥମେ ମୁଁ ଭାବିଲି ବସ୍ ଚକା ଫାଟିଲା। କିନ୍ତୁ ବିସ୍ଫୋରଣର ତୀବ୍ରତା ବହୁତ ଜୋର ଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଇଥିଲେ।
ଗତ ବର୍ଷ ମେ’ ମାସରୁ ଏଯାବତ ଏହାକୁ ମିଶାଇ ଜମ୍ମୁ ସହରର ବସ୍ଷ୍ଟାଣ୍ଡ ଅଞ୍ଚଳରେ ୩ ଥର ଗ୍ରେନେଡ୍ ବିସ୍ଫୋରଣ ହୋଇ ସାରିଲାଣି।
ସୂଚନାଯୋଗ୍ୟ, ପୁଲ୍ୱାମା ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ। ଏହା ପରେ ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟ୍ରେ ଆକ୍ରମଣ କରାଯାଇଥିଲା। ଏଥିରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଏକ ବଡ଼ ଟ୍ରେନିଂ କ୍ୟାମ୍ପ ଧ୍ୱଂସ ହୋଇଯାଇଥିଲା। ପୁଲ୍ୱାମା ଆକ୍ରମଣ ପାଇଁ ଜୈଶ୍ ନିଜକୁ ଦାୟୀ କରିଥିଲା।