ଇସ୍ଲାମାବାଦ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ସ୍ୱଦେଶ ଫେରିବା ପରେ ଗଡ଼ ଜିତିଲା ପରି ଅନୁଭବ କରୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ପାକିସ୍ତାନ ଫେରିବା ପରେ ତାଙ୍କ ଅନୁଗାମୀଙ୍କ ଭବ୍ୟ ସ୍ୱାଗତରେ ଅଭିଭୂତ ଇମ୍ରାନ୍ କହିଛନ୍ତି, "ମୋତେ ଆଉଥରେ ବିଶ୍ୱକପ୍ ଜିତିଲା ପରି ଲାଗୁଛି।"
ଚଳିତ ସପ୍ତାହରେ ୩ ଦିନିଆ ଆମେରିକା ଗସ୍ତରେ ଯାଇଥିଲେ ଇମ୍ରାନ୍। ଏହି ଗସ୍ତ କାଳରେ ସେ ଆମେରିକା ସହ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବାକୁ ପ୍ରୟାସ କରିଥିଲେ। ଏପରିକି ଠିକ୍ ଏହି ଗସ୍ତ ପୂର୍ବରୁ ହିଁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା 'ଜମାତ୍- ଉଦ୍- ଦାୱା'ର ମୁଖ୍ୟ ହଫିଜ୍ ସୟିଦ୍କୁ ଗିରଫ କରି ଇମ୍ରାନ ଆମେରିକାକୁ ମନାଇବାର ପ୍ରୟାସ କରିଥିଲେ। ଗସ୍ତ କାଳରେ ଇମ୍ରାନ୍ ଟ୍ରମ୍ପଙ୍କ ବ୍ୟତୀତ ରାଷ୍ଟ୍ର ସଚିବ ମାଇକ୍ ପମ୍ପିଓଙ୍କୁ ମଧ୍ୟ ଭେଟିଥିଲେ।
ଆଜି ଇସ୍ଲମାବାଦ୍ସ୍ଥିତ ନୂଆ ବିମାନବନ୍ଦରରେ କତାର ଏୟାରଲାଇନ୍ସର ଏକ ବିମାନ ଯୋଗେ ଇମ୍ରାନ ପହଞ୍ଚିଥିଲେ। ସେଠାରେ ତାଙ୍କ ସମର୍ଥନରେ ନାରାବାଜି ପରେ ସେ କହିଥିଲେ, "ମୋତେ ଲାଗୁଛି ମୁଁ କୌଣସି ଅଫିସିଆଲ ଭିଜିଟ୍ ନୁହେଁ, ସତେ ଯେମିତି ମୁଁ ଆଉ ଥରେ ବିଶ୍ୱକପ୍ ଜିତିକି ଦେଶକୁ ଫେରିଛି।" ମଜା କଥା ହେଉଛି ଗତ ବର୍ଷ ଜୁଲାଇ ୨୫ରେ ହିଁ ଇମ୍ରାନ ନିର୍ବାଚନରେ ବିଜୟ ଲାଭ କରିଥିଲେ। ତେଣୁ ଆମେରିକା ଗସ୍ତରକୁ ସେପରି କିଛି ଫାଇଦା ହେବା ପରି ଲାଗୁ ନଥିଲେ ମଧ୍ୟ ସମର୍ଥକଙ୍କ ନାରା ତାଙ୍କୁ ଉତ୍ସାହିତ କରିଥିବା ମନେ ହେଉଛି।