ଶିମଲା: ଆଜି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜୟରାମ ଠାକୁର। ଏବେ ରାଜ୍ୟର ଶାସନ ଡୋରି ତାଙ୍କ ହାତରେ। ତେବେ ତାଙ୍କ ବିଷୟରେ ଏକ ରୋଚକ ତଥ୍ୟ ଜଣାପଡ଼ିଛି। ଏହି କଥାଟି କହିଛନ୍ତି ତାଙ୍କର ଅତି ଘନିଷ୍ଠ ପାଞ୍ଚ ବନ୍ଧୁ। ସେମାନେ ହେଉଛନ୍ତି- କରମଜୀତ ସିଂହ ମଲହୋତ୍ରା, ଗୁରସେବ ମଲହୋତ୍ରା, ସଞ୍ଜୟ ଆହୁଜା, ଅଶ୍ୱୀନ କୁମାର ଓ ଦିନେଶ କୁଅଁର। ଜୟରାମ ଓ ତାଙ୍କର ଏହି ପାଞ୍ଚ ସାଙ୍ଗ ମଣ୍ଡି କଲେଜ ଓ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ସାଙ୍ଗ ହୋଇପଢୁଥିଲେ।
ତାଙ୍କର ଏହି ସାଙ୍ଗମାନେ କଲେଜ ଓ ବିଶ୍ୱବିଦ୍ୟାଳୟ ବେଳର ସ୍ମୃତିକୁ ମନେ ପକାଇ ଏହି ରୋଚକ ଘଟଣା ସଂପର୍କରେ କହିଛନ୍ତି। ତାଙ୍କର ଏହି ସାଙ୍ଗମାନେ କହିଛନ୍ତି ଯେ ଥରେ ସେମାନେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହା ଚଣ୍ଡିଗଡ଼ରେ ପଢୁଥିବା ସମୟର ଘଟଣାରେ। କୌଣସି ଗୋଟିଏ ଜିନିଷ ଆଣିବା ପାଇଁ ଜଣେ ସାଙ୍ଗ ତାଙ୍କୁ ବଜାର ଯିବାକୁ କହିଲେ। ସ୍କୁଟର ନେଇ ଯିବାକୁ ସେ ଜୟରାମଙ୍କୁ କହିଥିଲେ। ତେବେ ଡ୍ରାଇଭିଂ ଲାଇସେନ୍ସ ନାହିଁ କହି ସେ ସ୍କୁଟର ନେବାକୁ ମନା କରି ଦେଇଥିଲେ। କିନ୍ତୁ ଏହା ତାଙ୍କର ଏକ ବାହାନା ଥିଲା। ପ୍ରକୃତ କଥା ହେଲା ସେ ସେତେବେଳେ ସ୍କୁଟର ଶିଖି ନଥିଲେ। ତେଣୁ ସେ ସ୍କୁଟର ନେଇ ଯିବାକୁ ମନା କରି ଦେଇଥିଲେ।
୫ ଥର ବିଧାୟକ ଭାବେ ହିମାଚଳ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ଜୟରାମ ଠାକୁର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ ୨୫ ବର୍ଷରେ ସେ ହେଉଛନ୍ତି ରାଜ୍ୟର ସବୁଠୁ କମ୍ ବୟସର ମୁଖ୍ୟମନ୍ତ୍ରୀ। ତାଙ୍କୁ ଏବେ ୫୨ ବର୍ଷ ହୋଇଛି।