ନୂଆଦିଲ୍ଲୀ: ହିନ୍ଦୁ ସମୁଦାୟର ଅର୍ଥ ବିଜେପି ନୁହହେଁ ଏବଂ ବିଜେପିକୁ ବିରୋଧର ଅର୍ଥ ହିନ୍ଦୁ ସମୁଦାୟର ବିରୋଧ ନୁହେଁ ବୋଲି ଆଜି ଆରଏସ୍ଏସ୍ ସରକାର୍ଯ୍ୟବାହ ସୁରେଶ ଭୈୟାଜୀ ଯୋଷୀ କହିଛନ୍ତି। ସେ କହିଛନ୍ତି କ୍ଷମତା ଲଢ଼େଇ ଜାରି ରହିବ, କିନ୍ତୁ ଏଥିରେ ହିନ୍ଦୁଙ୍କୁ ଯୋଡ଼ାନଯାଉ।
ଭୈୟାଜୀ ଏହି ସମୟରେ ଏଭଳି ମନ୍ତବ୍ୟ ରଖିଛନ୍ତି, ଯେତେବେଳେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିଭିନ୍ନ ବିରୋଧୀ ଦଳ ବିରୋଧ ଜାରି ରଖିଛନ୍ତି। ଏହି ଆଇନରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମ ଆଧାରରେ ନିର୍ଯାତନାର ଶିକାର ହୋଇ ଭାରତ ଆସିଥିବା ହିନ୍ଦୁ, ଶିଖ୍, ଜୈନ୍, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ୍ଙ୍କୁ ଭାରତ ସରକାର ନାଗରିକତା ଦେବାର ପ୍ରାବଧାନ ରଖିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ତଥା ଆରଏସ୍ଏସ୍ ଆଦର୍ଶରେ ଅନୁପ୍ରାଣିତ ବିଜେପି ଏହାକୁ ଦୃଢ଼ ସମର୍ଥନ କରିଆସୁଛି। ତେବେ ଏହି ସବୁ ରାଷ୍ଟ୍ରରେ ମୁସଲିମ୍ ସଂଖ୍ୟାବହୁଳ ହୋଇଥିବାରୁ ସେମାନେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।
ଏହା ପୂର୍ବରୁ ଭୈୟାଜୀ କହିଥିଲେ, ସରକାର ସିଏଏ ପାରିତ କରିବା ପରେ ରାଜ୍ୟ ସରକାର ଏହାକୁ ସମ୍ବିଧାନ ଅନୁଯାୟୀ ଲାଗୁ କରିବାକୁ ପଡ଼ିବ। ଏହା କେନ୍ଦ୍ରୀୟ ବ୍ୟାପାର, ରାଜ୍ୟ ବ୍ୟାପାର ନୁହେଁ। କେନ୍ଦ୍ର ମୋଟର ଭେଇକିଲ ଆଇନ ଆଣିବା ପରି ଏହା ଏକ ଆଇନ।
ଆଜି ‘ବିଶ୍ୱଗୁରୁ ଭାରତ, ଆନ୍ ଆରଏସ୍ଏସ୍ ପର୍ସପେକ୍ଟିଭ୍’ ପ୍ରସଙ୍ଗରେ ସେ କହିଛନ୍ତି, ପୁରା ବିଶ୍ୱ କହୁଛି ଭାରତ ୨୦୨୦ରେ ସୁପରପାୱାର ହେବ। ଏପରିକି ତାଙ୍କୁ ଜଣେ ବୁଦ୍ଧିଜୀବୀ କହିଥିଲେ ଭାରତ ୨୦୨୦ ସୁଦ୍ଧା ‘ସୁପର ରାଷ୍ଟ୍ର’ ହେବା ଉଚିତ।
ସେ କହିଛନ୍ତି, “ଭାରତରେ ଯିଏ କାମ କରିବାକୁ ଚାହୁଁଛିହିନ୍ଦୁ ସମୁଦାୟଙ୍କ ସହ କାମ କରିବାକୁ ହେବ, ସେମାନଙ୍କୁ ସାଥିରେ ନେଇ ସେମାନଙ୍କ ମଙ୍ଗଳ ପାଇଁ କାମ କରିବାକୁ ହେବ। ସେମାନେ ବର୍ଷ ବଁ ଧରି ଏ ଦେଶର ଉତ୍ଥାନ ପତନ ଦେଖିଛନ୍ତି। ଭାରତକୁ ହିନ୍ଦୁ ସମୁଦାୟଙ୍କଠାରୁ ଅଲଗା କରିହେବନି। ଏହି ରାଷ୍ଟ୍ରର କେନ୍ଦ୍ରସ୍ଥଳରେ ହିନ୍ଦୁ ଅଛନ୍ତି।”
ଭୈୟାଜୀ ଏହି ଅବସରରେ କହିଥିଲେ, ହିନ୍ଦୁ ସାମ୍ପ୍ରଦାୟିକ ବା ‘ପ୍ରତିଦ୍ୱନ୍ଦ୍ୱୀ’ ହୋଇନଥିବାରୁ ସେମାନଙ୍କ ସହ କାମ କରିବାରେ କେହି କୁଣ୍ଠିତ ହେବା ଉଚିତ ନୁହେଁ।