ଶ୍ରୀନଗର: ୧୨ ଦିନ ହେଲାଣି ବନ୍ଦୀ ଜୀବନ ବିତାଉଛନ୍ତି ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍ତି। ଦୁଇ ଜଣଙ୍କୁ ପ୍ରଥମେ ଏକାଠି ରଖାଯାଇଥିଲେ ମଧ୍ୟ ଦୁହେଁ ପରସ୍ପର ସହିତ ଯୁକ୍ତିତର୍କ କରି ତମ୍ବି ତୋଫାନ୍ କରିବାରୁ ଏବେ ଦୁହିଙ୍କୁ ଅଲଗା ଘରେ ରଖାଯାଇଛି। ଏହି ଦୁଇ ନେତା ଭିଡିଓ ଗେମ୍ ଖେଳି ଏବଂ ବହି ପଢ଼ି ବନ୍ଦୀ ଜୀବନକୁ ବିତାଉଥିବା ସୂଚନା ମିଳିଛି।
ଅଗଷ୍ଟ ୫ ପୂର୍ବ ରାତିରେ କଟକଣା ଲାଗୁ ହେବା ପରେ ଓମାରଙ୍କୁ ଗୁପକାର ରେସିଡେନ୍ସରୁ ହରି ନିବାସ ନିଆଯାଇଥିଲା। ସେଠାରେ ସେ ଭିଡିଓ ଗେମ୍ ଖେଳିବାକୁ ଚାହାନ୍ତି ବୋଲି କହିଥିଲେ। ତେବେ ଏଥିପାଇଁ ଇଣ୍ଟରନେଟ୍ର ଆବଶ୍ୟକତା ଥିବାରୁ କର୍ତ୍ତୃପକ୍ଷ ମନା କରିଥିଲେ। କିନ୍ତୁ ଓମାର କହିଥିଲେ ସେ ପୂରୁଣା ଭର୍ସନ ଖେଳିପାରିବେ, ଯେଉଁଥିପାଇଁ ଇଣ୍ଟରନେଟ୍ ଦରକାର ପଡ଼େନି। ଏତଦ୍ବ୍ୟତୀତ ଓମାର ହଲିଉଡ୍ ଫିଲ୍ମ ଦେଖିବା ସହ ବ୍ୟାୟାମରେ ସମୟ ବିତାଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୁଫ୍ତି ଚଷମେ ସାହି ସ୍ଥିତ ସରକାରୀ ସଂସ୍ଥା ଜେକେଟିଡିସି ଦ୍ୱାରା ନିର୍ମିତ ଘରେ ବହି ପଢ଼ି ସମୟ କାଟୁଛନ୍ତି।
ତେବେ ଦୁହେଁ ହରି ନିବାସ ପ୍ୟାଲେସ୍ରେ ରହୁଥିବାବେଳେ ମୁଫ୍ତି ଏବଂ ଓମାରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ମୁଫ୍ତି ତାଙ୍କ କକ୍ଷରୁ ଦେଖିଥିଲେ ପ୍ୟାଲେସ୍ ସାମ୍ନା ଲନ୍ ରେ ଓମାର ଚଲାବୁଲା କରୁଛନ୍ତି। ଏହାପରେ ତାଙ୍କୁ ମଧ୍ୟ ସେଭଳି ଅନୁମତି ଦିଆଯାଉ ବୋଲି ସେ କହିଥିଲେ। କିନ୍ତୁ ତାଙ୍କୁ ମନା କରାଯିବାରୁ ସେ ଓମାରଙ୍କ ଉପରେ ଚିଲ୍ଲାଇଥିଲେ। ସେ କହିଥିଲେ କଶ୍ମୀରର ଆଜିର ସ୍ଥିତି ପାଇଁ ଅବଦୁଲ୍ଲା ପରିବାର ଦାୟୀ। ଏହାପରେ ଓମାର ଓଲଟା ପଚାରିଥିଲେ, ତମେ ବିଜେପି ସହିତ ମିଶି କାହିଁକି ସରକାର କରିଥିଲ? ଉଭୟଙ୍କ ମଧ୍ୟରେ କଥା କଟାକଟି ତୀବ୍ର ହେବାରୁ ସେମାନଙ୍କୁ ଅଲଗା କରାଯାଇଛି।
ଅନ୍ୟପକ୍ଷରେ ନ୍ୟାସନାଲ କନ୍ଫରେନ୍ସର ମୁଖ୍ୟ ଫାରୁକ୍ ଅବଦୁଲ୍ଲାଙ୍କୁ ଘରୁ ବାହାରକୁ ବାହାରିବାରେ କଟକଣା ଲାଗୁ ହୋଇଛି। ସେ ଥରେ ନିକଟସ୍ଥ ଏକ ହୋଟେଲ ଯାଇ ଗଣମାଧ୍ୟମକୁ ଭେଟିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିଭଳି ମେହବୁବା ମୁଫ୍ତିଙ୍କ ଝିଅ ଇଲ୍ତିଜା ମୁଫ୍ତିଙ୍କୁ ମଧ୍ୟ ଘରୁ ବାହାରିବାକୁ ଦିଆଯାଉନାହିଁ। ଏହାପରେ ସେ କବାଟକୁ ଗୋଇଠା ମାରିବା ସହ ତାଙ୍କୁ ବାହାରକୁ ଛାଡ଼ିବାକୁ ବାରମ୍ବାର ଚିଲ୍ଲାଉଥିବା ଦେଖିବାକୁ ମିଳିଛି।